ଆଜି ରସଗୋଲ ଦିବସ

ରସଗୋଲା କାହାର! ପଶ୍ଚିମବଙ୍ଗ ନା ଓଡ଼ିଶାର? ଏହାର ଉତ୍ତର ମିଳିଥିଲା ୨୦୧୯ ଜୁଲାଇ ୨୯ ତାରିଖରେ। ପଶ୍ଚିମବଙ୍ଗ ରସଗୋଲା ଜିଆଇ ମାନ୍ୟତା ପାଇବା ପରେ ରସଗୋଲା ଯେ ଓଡ଼ିଶାର, ସେ ନେଇ ହେଲା ପ୍ରାଣମୂର୍ଚ୍ଛା ଉଦ୍ୟମ। ୨୦୧୮ ଫେବ୍ରୁଆରି ୨୩ ତାରିଖରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ‘ଓଡ଼ିଶା ରସଗୋଲା’ର ଜିଆଇ ମାନ୍ୟତା ଲାଗି ଆବେଦନ ହେଲା। ଏହାପରେ ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ୍‌ସ ରେଜିଷ୍ଟ୍ରି ପକ୍ଷରୁ ୧୩ଟି ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ମଗାଯାଇଥିଲା। ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା। ୨୦୧୯ ଜୁଲାଇ ୨୯ରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଲା। ଆଉ ଆମ ଓଡ଼ିଆଙ୍କ ଛାତି କୁଣ୍ଢେମୋଟ ହୋଇଗଲା।
ଆଉ ସେତିକିରେ ସରିଗଲା ଆମ ରସଗୋଲା ପ୍ରେମ।  ଜିଆଇ ମାନ୍ୟତା ପାଇବ‌ାର ୬ ବର୍ଷ ବିତିଗଲାଣି। କିନ୍ତୁ ରାଜଧାନୀରେ ‘ରସଗୋଲା ହବ୍’ ଓ ପାହାଳରେ ‘ରସଗୋଲା କ୍ଲଷ୍ଟର’ ହେବା ଯୋଜନା ଏବେ ବି ଯୋଜନାରେ। କେବଳ ଜାଗା ଚିହ୍ନଟ ହୋଇଛି ସିନା, କ୍ଲଷ୍ଟର ନିର୍ମାଣ ଏବେ ବି ସାତ ସପନ। ସାଧାରଣତଃ ଜିଆଇ ମାନ୍ୟତା ପାଇବା ପରେ ଏହାର ବୈଧତା ୧୦ ବର୍ଷ ରୁହେ। ଅର୍ଥାତ୍‌ ୨୦୨୯ ଯାଏଁ ଓଡ଼ିଶା ରସଗୋଲାର ଜିଆଇ ମାନ୍ୟତା ବୈଧ ରହିବ। କିନ୍ତୁ ଏହି ୧୦ ବର୍ଷରୁ ୬ ବର୍ଷ ବିତି ଯାଇଥିଲେ ବି ପାହାଳ ରସଗୋଲାକୁ ‌ସର୍ବଭାରତୀୟ ସ୍ତରରେ ଏକ ବିଶେଷ ପରିଚିତି ବା ବ୍ରାଣ୍ଡ୍‌ କରିବାରେ ଆମେ ପାଦେ ବି ଆଗକୁ ଯାଇପାରିଲୁ ନାହିଁ। ଏଥିପାଇଁ କେବଳ ଜାଗା ଚିହ୍ନଟ ହୋଇଥିବା ବେଳେ ଏହାର ହସ୍ତାନ୍ତର, କ୍ଲଷ୍ଟର ପ୍ରତିଷ୍ଠା, ରସଗୋଲାର ଆଧୁନିକ ପ୍ରସ୍ତୁତି, ପ୍ୟାକେଜିଂ ଓ ବ୍ରାଣ୍ଡିଂ ଆଦି କେବେ ହେବ, ସେନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି। ମାତ୍ର ଉତ୍ତର ଦେବାକୁ କେହି ନାହାନ୍ତି।
Leave a comment