ରାଜ୍ୟରେ ମିଳୁଛି ବିଷାକ୍ତ ଖାଦ୍ୟ, କେନ୍ଦୁଝରରେ ସର୍ବାଧିକ ଭେଜାଲ ଖାଦ୍ୟର ମାମଲା
ରାଜ୍ୟରେ ମିଳୁଛି ବିଷାକ୍ତ ଖାଦ୍ୟ । ୨୦୨୫-୨୬ରେ ଏକ ଲକ୍ଷ ୬୦ ହଜାର ୧୩୪ ଚଢ଼ାଉ କରାଯାଇ ୪୭ଟି ମାମଲା ରୁଜୁ ହୋଇଛି । ସେଥିରେ ୫ ଲକ୍ଷ ୧୯ହଜାର ଜରିମାନା ଆଦାୟ ହୋଇଛି । ବିଷାକ୍ତ ଖାଦ୍ୟର ହଟସ୍ପଷ୍ଟ ପାଲଟିଛି ନୟାଗଡ, କଟକ ଓ ଖୋର୍ଦ୍ଧା । ନୟାଗଡରେ ୧୬ହଜାର ୩୦୦, କଟକରେ ୧୬ ହଜାର ୧୬ ଓ ଖୋର୍ଦ୍ଧାରେ ୧୫ ହଜାର ୩୩୪ ଚଢ଼ାଉ ହୋଇଛି । କେନ୍ଦୁଝରରେ ସର୍ବାଧିକ ଭେଜାଲ ଖାଦ୍ୟର ମାମଲା ଆସିଛି । ସେଠି ୯ଟି ମାମଲା ସାମ୍ନାକୁ ଆସିଥିବା ନେଇ ଗୃହରେ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି।
ସର୍ବାଧିକ କେନ୍ଦୁଝର ଜିଲ୍ଲାରେ ଭେଜାଲ ଖାଦ୍ୟର ମାମଲା ଆସିଛି । ବିଧାନସଭାରେ ଏହାକୁ ନେଇ ତଥ୍ୟ ରଖିଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ତଥ୍ୟ ସହ ଉତ୍ତର ରଖିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଖାଦ୍ୟ ଅପମିଶ୍ରଣ, କଳାବଜାର, ଓଜନ ଠକେଇ ଓ ଖାଦ୍ୟ ସାମଗ୍ରୀ ବେଆଇନ ମହଜୁଦ ରଖିବା ଅଭିଯୋଗରେ ୨୦୨୦ରୁ ବର୍ତ୍ତମାନ ସୁଦ୍ଧା କେତେ ଚଢ଼ାଉ ହୋଇଛି, କେତେ ମାମଲା ରୁଜୁ ହୋଇଛି ଏବଂ ଏ ସଂକ୍ରାନ୍ତରେ କେତେ ମାମଲାରେ ଦଣ୍ଡ ବିଧାନ ହୋଇଛି ଗୃହରେ ପ୍ରଶ୍ନ କରିଥିଲେ ବିଧାୟକ ଟଙ୍କଧର ତ୍ରିପାଠୀ ।