ପାନିଆ କିଣିବା ସମୟରେ ଏହି କଥା ପ୍ରତି ନିଶ୍ଚୟ ଧ୍ୟାନ ରଖନ୍ତୁ
ଶସ୍ତା , ସୁନ୍ଦର , ମଜଭୁତ ଏହି ସବୁ ଶବ୍ଦ ଖାସ୍ କରି ମଧ୍ୟବିତ୍ତ ପରିବାରରେ ଅଧିକ ବ୍ୟବହାର ହୁଏ । ସେ ଘରକରଣା ସାମଗ୍ରୀ ହେଉ କି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ସବୁଥିରେ ଆମେ ଶସ୍ତା,ମଜଭୁତର ଯୁଗଳବନ୍ଦୀକୁ ଖୋଜିଥାଉ । ଯେମିତିକି ମୁଣ୍ଡ କୁଣ୍ଡାଉଥିବା ପାନିଆକୁ ହିଁ ନେଇଯାଆନ୍ତୁ । ପ୍ରାୟତଃ ଘରେ ଲୋକମାନେ ମୁଣ୍ଡ କୁଣ୍ଡାଇବା ପାଇଁ ପ୍ଳାଷ୍ଟିକ୍ ପାନିଆର ବ୍ୟବହାର କରିଥା’ନ୍ତି । ସୁଲଭ ମୂଲ୍ୟ ସାଙ୍ଗକୁ ବିଭିନ୍ନ ଡିଜାଇନରେ ଉପଲବ୍ଧ ଥିବାରୁ ପ୍ଲାଷ୍ଟିକ୍ ପାନିଆ ପ୍ରାୟତଃ ସମସ୍ତଙ୍କ ପସନ୍ଦ ଥାଏ । କିନ୍ତୁ ପ୍ଲାଷ୍ଟିକର ହୋଇଥିବାରୁ ଏଥିରେ ଚୁଟି ଫସିବା ଭଳି ଅସୁବିଧା ମଧ୍ୟ ଦେଖାଯାଏ । ଖାଲି ଚୁଟି ଫସିବା ନୁହେଁ ଏଥିରେ ଥିବା ପଏଣ୍ଟେଡ୍ ଦାନ୍ତ କେଶମୂଳରେ ବାଜି ଖଣ୍ଡିଆ ହେବାର ମଧ୍ୟ ସମ୍ଭାବନା ଥାଏ । ବର୍ତ୍ତମାନ ସୋସିଆଲ୍ ମିଡିଆରେ କାଠର ପାନିଆ ବ୍ୟବହାର କରିବାକୁ ବହୁତ ବିଜ୍ଞାପନ ଆସୁଛି । ଯାହା ନିମ୍ବ କାଠ କିମ୍ବା ବାଉଁଶକୁ କାଟି ତିଆରି କରାଯାଏ । ଏଥିରେ ଷ୍ଟେଟିକ୍ ଚାର୍ଜ ନଥିବା କାରଣରୁ ଏହା କେଶମୂଳ ପାଇଁ ବହୁତ ଭଲ ହୋଇଥାଏ ।
ଡର୍ମାଟୋଲୋଜିଷ୍ଟ ଡାକ୍ତର କଶିଶ କାଲରା କୁହନ୍ତି ଯେ ଆଜିକାଲି ଯେତେ ପ୍ରକାର ପାନିଆ ବଜାରରେ ବିକ୍ରି ହେଉଛି, ତାହା ନିମ୍ବ, ବାଉଁଶ କିମ୍ବା ପ୍ଲାଷ୍ଟିକର ହେଉନା କାହିଁକି ସବୁ ବିଜ୍ଞାପନର ଅଂଶ ଅଟେ । ସୋସିଆଲ ମିଡିଆରେ କଣ୍ଟେଣ୍ଟ ପାଇଁ କିଛି ଖାସ ପ୍ରକାରର ପାନିଆକୁ ଭଲ ବୋଲି କୁହାଯାଏ । କିନ୍ତୁ ପାନିଆ କିଣିବା ସମୟରେ ଏହି କଥା ପ୍ରତି ନିଶ୍ଚୟ ଧ୍ୟାନ ରଖନ୍ତୁ ଯେ ତାହା ସବୁବେଳେ ଚଉଡ଼ା ଦାନ୍ତ ଥିବା ପାନିଆ ହୋଇଥିବା ଦରକାର । ତାର ଦାନ୍ତ ଗୁଡ଼ିକ ପଏଣ୍ଟେଡ୍ ହୋଇନଥିବା ଦରକାର । ଏହା ଦ୍ୱାରା କେଶମୂଳରେ କ୍ଷତ ହୋଇପାରେ । ପାନିଆକୁ ପ୍ରତିଥର ବ୍ୟବହାର କରିବା ପରେ କିମ୍ବା ପ୍ରତି ୨ ଦିନରେ ଗରମ ପାଣି ଏବଂ ସାବୁନରେ ଧୋଇବା ଦରକାର । ଦିନରେ ୨ ଥରରୁ ଅଧିକ ମୁଣ୍ଡ କୁଣ୍ଡାଇବାର କୌଣସି ଆବଶ୍ୟକତା ନାହିଁ । ପ୍ରତି ୩ ରୁ ୬ ମାସ ପରେ ପାନିଆକୁ ବଦଳାନ୍ତୁ । ମୁଣ୍ଡ କୁଣ୍ଡାଇବା ନିହାତି ଜରୁରି , ଏହାଦ୍ୱାରା କେଶମୂଳରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ । ଯାହାଦ୍ୱାରା ଚୁଟି ଧଳା ହୁଏ ନାହିଁ , ମୃତ ଚର୍ମ ବାହାରିଯାଏ ଏବଂ ରୂପି ସମସ୍ୟା ମଧ୍ୟ ହୁଏ ନାହିଁ । ତେବେ ମୁଣ୍ଡ କୁଣ୍ଡାଇବାର ମଧ୍ୟ ଅନେକ ଉପାୟ ଅଛି, ଯାହାକୁ ଅନେକ ଲୋକ ଜାଣିନାହାନ୍ତି । ମୁଣ୍ଡ କୁଣ୍ଡାଇବା ପୂର୍ବରୁ ଚୁଟିକୁ ଅନେକ ଭାଗରେ ବାଣ୍ଟି ଦିଅନ୍ତୁ । ଏହାଦ୍ୱାରା ଚୁଟି ଛିଣ୍ଡିବ ନାହିଁ । କେବେବି ଓଦା ଚୁଟିରେ ମୁଣ୍ଡ କୁଣ୍ଡାନ୍ତୁ ନାହିଁ । ହାଲୁକା ଓଦା ହୋଇଥିଲେ ହେୟାର ସିରମ ନିଶ୍ଚୟ ଲଗାନ୍ତୁ ଏବଂ କୁଣ୍ଡାଇବା ପୂର୍ବରୁ ହାତରେ ଚୁଟିକୁ ଶୁଖାନ୍ତୁ । ଯେଉଁଭଳି ଭାବରେ ରୁମାଲ, ଟୁଥବ୍ରଶ ବ୍ୟକ୍ତିଗତ ହୋଇଥାଏ, ସେହିଭଳି ପାନିଆ ମଧ୍ୟ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ସାମଗ୍ରୀ ଅଟେ । ଅନେକ ଥର ଲୋକ ନିଜ ପରିବାରର କୌଣସି ସଦସ୍ୟ କିମ୍ବା ସାଙ୍ଗର ପାନିଆ ବ୍ୟବହାର କରିଦିଅନ୍ତି ଯାହାକି ଭୁଲ । ଅନ୍ୟର ପାନିଆ ବ୍ୟବହାର କରିବା ଦ୍ୱାରା ରୂପି କିମ୍ବା ଚର୍ମ ସଂକ୍ରମଣ ହୋଇପାରେ । ଯଦି ଅନ୍ୟର ପାନିଆ ଅସନା ହୋଇଥାଏ ତେବେ ଚୁଟି ଏବଂ କେଶମୂଳର ପ୍ରାକୃତିକ ତେଲ ସେଥିରେ ଲାଗିଯାଏ ଯାହାଦ୍ୱାରା ଦୁଇ ମୁହାଁ ଚୁଟି ବଢ଼ିପାରେ ।