ବ୍ୟସ୍ତବହୁଳ ଜୀବନରେ କିପରି ରହିବେ ସୁସ୍ଥ

ଆଜିର ବ୍ୟସ୍ତବହୁଳ ଜୀବନରେ କାମର ଚାପ, ଡେଡଲାଇନ୍ ଏବଂ ଓଭରଟାଇମ୍ ଆମ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଛି । ସକାଳୁ ଅଫିସ୍ ଯିବା, ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବା ଏବଂ ପରଦିନ ପୁଣି ସେହି ଏକା ରୁଟିନ୍‌କୁ ଅନୁସରଣ କରିବା ଭିତରେ ଆମ ସ୍ୱାସ୍ଥ୍ୟ ଅବହେଳିତ ହୋଇଯାଏ । ଅନେକ ଲୋକ ଭାବନ୍ତି ଯେ କାମ ସାରିବା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଉତ୍ତମ ସ୍ୱାସ୍ଥ୍ୟ ବିନା ଦୀର୍ଘ ସମୟ ଧରି କାମ କରିବା ସମ୍ଭବ ନୁହେଁ ।

ଡାକ୍ତରଙ୍କ କହିବା ଅନୁଯାୟୀ, କିଛି ସଠିକ୍ ଅଭ୍ୟାସ ଆପଣାଇ ଆମେ କେବଳ କାର୍ଯ୍ୟ ଚାପକୁ ନିୟନ୍ତ୍ରଣ କରିପାରିବା ତା’ ନୁହେଁ, ବରଂ ସକ୍ରିୟ ଏବଂ ଫିଟ୍ ମଧ୍ୟ ରହିପାରିବା ।

ଘଣ୍ଟା ଘଣ୍ଟା ଧରି ଲଗାତାର କାମ କରିବା ଶରୀର ଏବଂ ମନ ଉଭୟ ଉପରେ ପ୍ରଭାବ ପକାଇଥାଏ । ତେଣୁ, ପ୍ରତି ଏକରୁ ଦୁଇ ଘଣ୍ଟା ମଧ୍ୟରେ ୫ ମିନିଟର ଏକ ଛୋଟ ବିରତି ନିଅନ୍ତୁ । ଏହି ସମୟରେ, ସାମାନ୍ୟ ଷ୍ଟ୍ରେଚିଂ କରନ୍ତୁ, ପାଣି ପିଅନ୍ତୁ କିମ୍ବା କିଛି ସମୟ ଚାଲନ୍ତୁ । ଏହା କେବଳ ଚାପ କମାଇବ ନାହିଁ ବରଂ ଶରୀରକୁ ଶକ୍ତି ମଧ୍ୟ ଯୋଗାଇବ ।

ଓଭରଟାଇମ୍ ଏବଂ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ କାରଣରୁ ଲୋକମାନେ ପ୍ରାୟତଃ ଫାଷ୍ଟଫୁଡ୍ କିମ୍ବା ବାହାର ଖାଦ୍ୟ ଖାଇଥା’ନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ତେଣୁ ଆପଣଙ୍କ ଡାଏଟ୍‌ରେ ଡ୍ରାଏ ଫ୍ରୁଟ୍ସ, ଫଳ, ସାଲାଡ ଏବଂ ଘର ତିଆରି ଖାଦ୍ୟ ଭଳି ସୁସ୍ଥକର ସ୍ନାକ୍ସ ସାମିଲ କରିବାକୁ ଚେଷ୍ଟା କରନ୍ତୁ । ଏହା ଶରୀରକୁ ଆବଶ୍ୟକୀୟ ପୋଷଣ ଯୋଗାଇବ ଏବଂ କାର୍ଯ୍ୟ କରିବାର କ୍ଷମତା ମଧ୍ୟ ବୃଦ୍ଧି କରିବ ।

ନିଦର ଅଭାବ ଚାପକୁ ଅନେକ ଗୁଣ ବଢ଼ାଇଦିଏ । ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବା ଏବଂ ସକାଳୁ ଶୀଘ୍ର ଉଠିବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ତେଣୁ, ଦିନକୁ ଅତି କମ୍‌ରେ ୬-୮ ଘଣ୍ଟା ଶୋଇବା ନିଶ୍ଚିତ କରନ୍ତୁ । ଭଲ ନିଦ ମସ୍ତିଷ୍କକୁ ସତେଜ ରଖିବ ଏବଂ କାମର ଗୁଣବତ୍ତା ମଧ୍ୟ ବଢ଼ାଇବ ।

କାମ ଯେତେ ବି ଥାଉନା କାହିଁକି, ଦିନକୁ ଅତି କମ୍‌ରେ ୨୦-୩୦ ମିନିଟ୍ ବ୍ୟାୟାମ ପାଇଁ ସମୟ ବାହାର କରନ୍ତୁ । ସକାଳୁ ଚାଲିବା, ଯୋଗ କିମ୍ବା ହାଲୁକା ଷ୍ଟ୍ରେଚିଂ ଶରୀରକୁ ସକ୍ରିୟ ରଖିବାରେ ସାହାଯ୍ୟ କରେ । ଯେଉଁମାନେ ଲଗାତାର ବସି ରହନ୍ତି, ସେମାନଙ୍କ ପାଇଁ ଚାଲିବା ବିରତି (ୱାକିଂ ବ୍ରେକ୍) ନେବା ଅତ୍ୟନ୍ତ ଜରୁରୀ ।

ସବୁବେଳେ ମୋବାଇଲ୍ କିମ୍ବା ଲାପଟପ୍ ସ୍କ୍ରିନ୍‌କୁ ଚାହିଁ ରହିବା ଆଖି ଏବଂ ମସ୍ତିଷ୍କ ଉଭୟକୁ ପ୍ରଭାବିତ କରେ । ଏଥିପାଇଁ 20-20-20 ନିୟମ ଆପଣାନ୍ତୁ, ଅର୍ଥାତ୍ ପ୍ରତି ୨୦ ମିନିଟରେ ୨୦ ସେକେଣ୍ଡ ପାଇଁ ୨୦ ଫୁଟ ଦୂରରେ ଥିବା କୌଣସି ବସ୍ତୁକୁ ଦେଖନ୍ତୁ । ଏହା ଆଖିର କ୍ଳାନ୍ତିକୁ କମ୍ କରିବ ।

 

 

Leave a comment