ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପ୍ରମୁଖ ନିୟମିତ ଟିକାକରଣ ଅଭିଯାନ ସଘନ ମିଶନ ଇନ୍ଦ୍ରଧନୁଷ (ଆଇଏମଆଇ ୫.୦) ଅଭିଯାନ ଅକ୍ଟୋବର ୧୪, ୨୦୨୩ରେ ଏହାର ସମସ୍ତ ତିନୋଟି ପର୍ଯ୍ୟାୟ ଶେଷ କରିବ । ଯେପରି ସାରା ଦେଶରେ ଟିକାକରଣରୁ ବଞ୍ଚିତ ହୋଇଥିବା ଶିଶୁ ଏବଂ ଗର୍ଭବତୀ ମହିଳା ମାନଙ୍କୁ ନିୟମିତ ଟୀକାକରଣ ସେବା ପ୍ରଦାନ କରାଯିବ, ତାହାକୁ ଆଇଏମଆଇ ୫.୦ ସୁନିଶ୍ଚିତ କରିଆସିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଦେଶର ସମସ୍ତ ଜିଲ୍ଲାରେ ଏହି ଅଭିଯାନ କରାଯାଉଛି ଏବଂ ଏଥିରେ ୫ ବର୍ଷ ପର୍ଯ୍ୟନ୍ତ ପିଲା ସାମିଲ ଅଛନ୍ତି (ପୂର୍ବ ଅଭିଯାନରେ ୨ ବର୍ଷ ପର୍ଯ୍ୟନ୍ତ ପିଲା ସାମିଲ ଥିଲେ) । ଜାତୀୟ ଟିକାକରଣ ସୂଚୀ (ଏନ୍ଆଇଏସ୍) ଅନୁଯାୟୀ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ (ୟୁଆଇପି) ଅଧୀନରେ ପ୍ରଦାନ କରାଯାଉଥିବା ସମସ୍ତ ଟିକା ପାଇଁ ଟିକାକରଣ ପରିସରକୁ ବୃଦ୍ଧି କରିବା ଆଇଏମ୍ଆଇ ୫.୦ ଅଭିଯାନର ଲକ୍ଷ୍ୟ । ୨୦୨୩ ସୁଦ୍ଧା ମିଳିମିଳା ଏବଂ ରୁବେଲା ରୋଗର ଉନ୍ମୁଳନ ଲକ୍ଷ୍ୟ ସହିତ ମିଳିମିଳା ଏବଂ ରୁବେଲା ଟିକାକରଣ ପରିସରର ଉନ୍ନତି ଏବଂ ଦେଶର ସମସ୍ତ ଜିଲ୍ଲାରେ ପାଇଲଟ ମୋଡରେ ନିୟମିତ ଟିକାକରଣ ପାଇଁ ୟୁ – ୱିନ୍ ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।
ବିହାର, ଛତିଶଗଡ଼, ଓଡ଼ିଶା ଏବଂ ପଞ୍ଜାବ ରାଜ୍ୟ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ଅକ୍ଟୋବର ୧୪,୨୦୨୩ ସୁଦ୍ଧା ଆଇଏମ୍ଆଇ ୫.୦ ଅଭିଯାନର ତିନୋଟି ପର୍ଯ୍ୟାୟ ଶେଷ ହେବ । କିଛି ଆନିବାର୍ଯ୍ୟ ପରିସ୍ଥିତି ଯୋଗୁଁ ଏହି ୪ ଟି ରାଜ୍ୟ ଅଗଷ୍ଟରେ ଆଇଏମଆଇ ୫.୦ ଅଭିଯାନ ଆରମ୍ଭ କରି ପାରିନଥିଲେ ।