ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ ଜିରା
ବର୍ତ୍ତମାନ ସମୟରେ ଘର ଘରର ସମସ୍ୟା କହିଲେ ମେଦବହୁଳତା ନହେଲେ ଚୁଟି ଝଡ଼ିବା । କିଏ ପତଳା ଥିଲେ ତାଙ୍କୁ ପଚରାଯାଉଛି ଯେ କ’ଣ ଖାଉଛ ଯେ ଏତେ ପତଳା ଅଛ । ନହେଲେ ଚୁଟି ଲମ୍ବା ଥିଲେ ପ୍ରଶ୍ନ ଆସେ ଆରେ ବାଃ ତୁମ ଚୁଟି ତ ବହୁତ ଲମ୍ବା କେଉଁ ତେଲ ଲଗାଉଛ ଇତ୍ୟାଦି , ଇତ୍ୟାଦି । ଏହାର ଅର୍ଥ ସବୁ ସମସ୍ୟାର ସମାଧାନ ଘରେ ହିଁ ଅଛି କିନ୍ତୁ ଆମେ ବୋଧହୁଏ ଅଳସୁଆମି କାରଣରୁ ଏହାକୁ ବ୍ୟବହାର କରିବା ପାଇଁ ପଛଘୁଞ୍ଚା ଦେଉ । କିନ୍ତୁ ରୋଷେଇ ଘରର କିଛି ଗୋଟାମସଲା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ମହୌଷଧୀ ଭଳି କାମ କରେ । ଯେଉଁଥିରୁ ଜିରା ହେଉଛି ଗୋଟିଏ । ଡାଲି-ତରକାରୀରେ ସ୍ବାଦ ବଢ଼ାଇବାଠାରୁ ଆରମ୍ଭ ହେଉ କି ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇବାକୁ ନେଇ ଜିରା ସବୁଠୁ ଆଗରେ ଥାଏ । ଜିରାରେ ଜିଙ୍କ୍ , ଆଇରନ୍ , କପର୍ , କାର୍ବସ ଏବଂ ଭିଟାମିନ୍ ସି ଭଳି ଅନେକ ପୋଷକ ତତ୍ତ୍ବ ମିଳିଥାଏ ଯାହା ଶରୀର ପାଇଁ ଲାଭକାରୀ । ଯଦି ପ୍ରତିଦିନ ଗୋଟିଏ ଚାମଚ ଭଜା ଜିରା ଖାଇବେ ତା’ହେଲେ ଏହା ଆପଣଙ୍କ ପାଇଁ ବରଦାନ ସଦୃଶ ହେ ବ । ଭଜା ଜିରାକୁ ପାଚନ କ୍ରିୟା ପାଇଁ ବେଷ୍ଟ୍ ବୋଲି କହୁଯାଏ । ଏଥିରେ ଥିବା ତେଲ ଏବଂ ଫାଇବର ପାଚନ ଏନଜାଇମ୍ସର ଉତ୍ପାଦନକୁ ବୃଦ୍ଧି କରେ, ଯାହାଦ୍ୱାରା ଖାଦ୍ୟ ଖୁବଶୀଘ୍ର ହଜମ ହୁଏ । ଏହା କୋଷ୍ଠକାଠିନ୍ୟ, ଏସିଡିଟି, ଗ୍ୟାସ ଏବଂ ପେଟ ଫୁଲିବା ପରି ସାଧାରଣ ପାଚନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରେ । ଯଦି ଆପଣ ନିଜ ବର୍ଦ୍ଧିତ ଓଜନକୁ ନେଇ ଚିନ୍ତାରେ ଅଛନ୍ତି ତେବେ ନିଜ ଡାଏଟରେ ଭଜା ଜିରା ସାମିଲ କରିବା ଏକ ଭଲ ବିକଳ୍ପ ହୋଇପାରେ । ଜିରା ମେଟାବଲିଜିମ୍ ବଢ଼ାଇ କ୍ୟାଲୋରୀ ବର୍ନ କରିବାରେ ସାହାଯ୍ୟ କରେ । ଏହା ସହିତ, ଏହା ଭୋକକୁ କମାଇବାରେ ମଧ୍ୟ ସାହାଯ୍ୟକାରୀ ହୁଏ, ଯାହାଦ୍ୱାରା ଆପଣ ଅତ୍ୟଧିକ ଖାଇବାରୁ ବଞ୍ଚିପାରିବେ । ଜିରାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିମାଇକ୍ରୋବିଆଲ୍ ଗୁଣ ଭରପୂର ମାତ୍ରାରେ ମିଳିଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ । ନିୟମିତ ଭାବରେ ଜିରା ଖାଇବା ଦ୍ୱାରା ଆପଣ ଥଣ୍ଡା, କାଶ ଏବଂ ଅନ୍ୟାନ୍ୟ ସଂକ୍ରମଣରୁ ମଧ୍ୟ ରକ୍ଷା ପାଇପାରିବେ ।