ସୁସ୍ଥ ରହିବା ପାଇଁ କେବଳ ଯେ ଉପଯୁକ୍ତ ଖାଦ୍ୟ ଆବଶ୍ୟକ ନୁହେଁ, ଠିକ୍ ସମୟରେ ଖାଇବା ସର୍ବାଧିକ ଆବଶ୍ୟକ
ବିଳମ୍ବିତ ରାତ୍ରିଭୋଜନ ଏକ ସୁସ୍ଥ ଜୀବନଶୈଳୀର ପରିପନ୍ଥୀ। କିନ୍ତୁ ଆଜିର ବ୍ୟସ୍ତବହୁଳ ସମାଜରେ ଅଧିକାଂଶ ଲୋକ ନିଜନିଜ କାର୍ଯ୍ୟରୁ ଘରକୁ ବିଳମ୍ବରେ ଫେରିବା ସହ କ୍ଲବ୍, ମନୋରଞ୍ଜନ ଆଦି ପାଇଁ ସମୟ ଦେବା ପରେ ରାତିରେ ଖୁବ୍ ବିଳମ୍ବରେ ଭୋଜନ ଗ୍ରହଣ କରିବା ଏକ ନିୟମିତ ଅଭ୍ୟାସ ହେଲାଣି। ତେବେ ଏହା ଦ୍ବାରା ସୁସ୍ଥ ଥିବା ମଣିଷଟି କ୍ରମଶଃ ଅସୁସ୍ଥ ହୋଇପଡ଼େ ଓ ଅସୁସ୍ଥ ଲୋକଟିର ସ୍ବାସ୍ଥ୍ୟ ଜଟିଳତା ଆହୁରି ବଢ଼ିଯାଏ। ସୁସ୍ଥ ରହିବା ପାଇଁ କେବଳ ଯେ ଉପଯୁକ୍ତ ଖାଦ୍ୟ ଆବଶ୍ୟକ ନୁହେଁ, ଠିକ୍ ସମୟରେ ଖାଇବା ସର୍ବାଧିକ ଆବଶ୍ୟକ। ଆନ୍ତର୍ଜାତିକ ସ୍ତରର ପ୍ରଖ୍ୟାତ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ଆପଣ ରାତ୍ରିଭୋଜନରେ କ’ଣ ଖାଉଛନ୍ତି ତାହା ନିଶ୍ଚିତ ଭାବେ ଗୁରୁତ୍ବପୂର୍ଣ୍ଣ। କିନ୍ତୁ କେତେବେଳେ ଖାଉଛନ୍ତି ତାହା ମଧ୍ୟ ସମାନ ଭାବେ ଗୁରୁତ୍ବପୂର୍ଣ୍ଣ। ଡାକ୍ତରମାନେ ପରାମର୍ଶ ଦିଅନ୍ତି ଯେ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶୋଇବାର ଯଥେଷ୍ଟ ପୂର୍ବରୁ ରାତ୍ରିଭୋଜନ ଭଲ। ଏହା ଖାଦ୍ୟକୁ ଭଲ ଭାବରେ ହଜମ କରିବାକୁ ଶରୀରକୁ ସମର୍ଥ କରିଥାଏ, ଯାହା ନିଦ୍ରାରେ ମଧ୍ୟ ଉନ୍ନତି ଆଣିଥାଏ। ଏପରିକି ସନ୍ଧ୍ୟା ପୂର୍ବରୁ ରାତ୍ର ଭୋଜନ ପାଇଁ ଅନେକ ପରାମର୍ଶ ଦେଇଥାନ୍ତି। କାରଣ ରାତ୍ରିଭୋଜନ ଅପେକ୍ଷାକୃତ ଭାବେ ହାଲୁକା ହେବା ଆବଶ୍ୟକ। ଅନେକ ସମୟରେ ଦେଖାଯାଏ ଯେ ଆମେ ରାତିରେ ୮ ଘଣ୍ଟା ଶୋଇବା ପରେ ମଧ୍ୟ ସକାଳୁ ଉଠିବାବେଳକୁ କ୍ଳାନ୍ତି ଅନୁଭବ କରୁ। ତେବେ ବିଳମ୍ବରେ ରାତ୍ରିଭୋଜନ ଏହାର କାରଣ ବୋଲି ବିଶେଷଜ୍ଞମାନେ କହିଥାନ୍ତି। ଅନ୍ୟପକ୍ଷରେ ସନ୍ଧ୍ୟା ସମୟରେ ବା ସଅଳ ରାତ୍ରିଭୋଜନ ମଣିଷ ଶରୀରରେ ଏକ ସ୍ବାଭାବିକ ଓଜନ ବଜାୟ ରଖିବାରେ ମଧ୍ୟ ସହାୟକ ହୋଇପାରେ। ବିଶେଷକରି ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ସ୍ବାସ୍ଥ୍ୟ ସମସ୍ୟା ଦ୍ବାରା ଆକ୍ରାନ୍ତ ଲୋକଙ୍କ ପାଇଁ ସଅଳ ରାତ୍ରିଭୋଜନର ଅନେକ ଉପାଦେୟତା ରହିଛି। ସଅଳ ରାତ୍ରିଭୋଜନ ଆମ ଶରୀରକୁ ସୁସ୍ଥ ରଖିବା ସହ ମାନସିକ ଏକାଗ୍ରତା ଆଣିବାରେ ସହାୟକ ହୋଇଥାଏ ବୋଲି ଏକ ସ୍ବାସ୍ଥ୍ୟ ସର୍ବେକ୍ଷଣରୁ ଜଣାପଡ଼ିଛି।