ଆସନ୍ତାକାଲି ଠାରୁ ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ ହେବ କି ନାହିଁ ସେ ନେଇ ଦ୍ବନ୍ଦ୍ବ

ତାରିଖ ଥିଲା ୧୨ ଜାନୁଆରୀ ୨୦୨୫, ସ୍ଥାନ ଥିଲା ଲୋକସେବା ଭବନ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ରାଜ୍ୟରେ ଏପ୍ରିଲ୍‌ ପହିଲାରୁ ଆୟୁଷ୍ମାନ ଯୋଜନା ଲାଗୁ ନେଇ ନିଆଯାଇଥିଲା ନିଷ୍ପତ୍ତି । ଏଥିସହ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ ନେଇ ବି ଘୋଷଣା କରିଥିଲେ ସରକାର । ହେଲେ ଆସନ୍ତାକାଲି ଠାରୁ ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ ହେବ କି ନାହିଁ ସେ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । ସରକାରୀ ଫାଇଲ୍‌ ଟେବୁଲ୍‌ରୁ ଘୁଞ୍ଚୁନଥିବାରୁ ଏପରି ହେଉଥିବା ଚର୍ଚ୍ଚା ହେଉଛି । ତେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଆସନ୍ତା ୧୩ ତାରିଖ ଓଡ଼ିଶା ଗସ୍ତ ଦିନ ଯୋଜନାର ଶୁଭାରମ୍ଭ ହେବ ବୋଲି ବିଜେପି ମହଲରେ ଆଲୋଚନା ହେଉଛି।

ସରକାର କହୁଥିଲେ ନୂଆ କାର୍ଡ ମିଳିବା ଯାଏଁ ବିଏସ୍‌କେୱାଇରେ ଚିକିତ୍ସା ଚାଲୁଥିବ। କିନ୍ତୁ ଏପର୍ଯ୍ୟନ୍ତ ସେନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ଯାଇନି ଜିଲ୍ଲା ପ୍ରଶାସନକୁ। ଲୋକସେବା ଭବନର ନିଷ୍ପତ୍ତି ତୃଣମୂଳରେ ନ ପହଞ୍ଚିବାରୁ ଦ୍ବନ୍ଦ୍ବରେ ସାଧାରଣ ଲୋକେ। ସେପଟେ ଏପ୍ରିଲ୍‌ ପହିଲାରୁ ଯଦି ଆୟୁଷ୍ମାନ ଯୋଜନା ଲାଗୁ ନ ହୁଏ, ତେବେ ଚିକିତ୍ସା କିପରି ଚାଲିବ, ସେନେଇ ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ।

ସୂଚନାଯୋଗ୍ୟ ଯେ, ନୂଆ ଯୋଜନା ଲାଗୁ ପୂର୍ବରୁ ହେଉନି ସରକାରୀ ଏକ୍ସରସାଇଜ୍। ଏଯାଏଁ ପହଞ୍ଚିନି ନୂଆ କାର୍ଡ। ବିଏସ୍‌କେୱାଇ ସହ ମର୍ଜ ବି ହୋଇନି। ଏଥିପାଇଁ କେତେ ସମୟ ଆଉ ଲାଗିବ, ତାହା ବି ସ୍ପଷ୍ଟ କରୁନାହାନ୍ତି ସରକାର। ଏଭଳି ସ୍ଥିତିରେ ଦ୍ବନ୍ଦ୍ବରେ ଥିବା ଲୋକଙ୍କୁ ଆଶ୍ବାସନା ଅପେକ୍ଷା ଆସ୍ୟୁରାନ୍ସ ଦେବା ଜରୁରି ହୋଇଛି।

Leave a comment