ଆଜିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆୟୁସ୍ମାନ ଯୋଜନା ପାଇଁ ଏମ୍ଓୟୁ ସ୍ବାକ୍ଷର ହେବ

ଆଜିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିନ ୨ଟାରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହେବ ଏମ୍ଓୟୁ । ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି। ଆଜି ବିଜ୍ଞାନ ଭବନରେ ଚୁକ୍ତିନାମା ସ୍ବାକ୍ଷରିତ ହେବ । ଆୟୁସ୍ମାନ ଯୋଜନା ପ୍ରଥମ ଥର ପାଇଁ ଓଡ଼ିଶାରେ ଲାଗୁ ହେବ। ଏହି କାର୍ଡ ଦ୍ବାରା ସାରା ଭାରତରେ ଯେକୌଣସି ସ୍ଥାନରେ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ୫ ଲକ୍ଷରୁ ୧୦ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା କରିପାରିବେ ।

ସୁଚନା ଅନୁଯାୟୀ  ରାଜ୍ୟରେ ଆସନ୍ତା ଫେବୃୟାରୀ ମାସରୁ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ଲାଗୁ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏହାକୁ ଲାଗୁ କରିବାକୁ ନେଇ ଥିବା ପ୍ରତିବନ୍ଧକକୁ ଦୂର କରିବା ପରେ ଆଜି ନୂଆଦିଲ୍ଲୀରେ ଏଥିପାଇଁ ଏମଓୟୁ ସ୍ୱାକ୍ଷରିତ ହେବ ବୋଲି ଜଣାପଡ଼ିଛି । ଦିଲ୍ଲୀରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି ନଡ୍ଡାଙ୍କ ଉପସ୍ଥିତିରେ ହେବ ଏମଓୟୁ । ଏଥିପାଇଁ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବୁଝାମଣା ସ୍ଵାକ୍ଷରିତ ହେବା ପରେ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଯୋଜନା ।

ତେବେ ଓଡ଼ିଶାରେ ଜାରି ରହିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ନୂଆ ନାଁ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା)  ସହ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଯିବ ।  ଗୋଟିଏ କାର୍ଡରେ ଉପଲବ୍ଧ ହେବ ସ୍ୱାସ୍ଥ୍ୟସେବା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଯୋଜନା । ପୁରୁଣା କାର୍ଡକୁ ହଟାଇ ଖୁବଶୀଘ୍ର ଦିଆଯିବ ନୂଆ କାର୍ଡ  । ପୁରୁଣା କାର୍ଡର ପରିବର୍ତନ ହେବ ଲୋଗୋ ।

ଏକ କୋଟି ପରିବାର ଏବଂ ସାଢେ ତିନି କୋଟି ଲୋକ ଏହାର ଲାଭ ପାଇବେ । ଏଥିରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ରହିବ । ରାଜ୍ୟ ସରକାର ଆସନ୍ତା ଫେବୃୟାରୀରୁ ଏହାକୁ ଲାଗୁ କରିବା ସହ ଏପ୍ରିଲରୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରାଇବେ । ୭୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ପ୍ରକ୍ରିୟା ଚଳିତମାସ ଶେଷ ସୁଦ୍ଧା ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି ।