ବିଗବସ 19 ରେ ନଜର ଆସିବେ ପୋଲାଣ୍ଡର ଅଭିନେତ୍ରୀ ନତାଲିଆ ଜାନୋସଜେକ

ପୁଣି ପରଦାକୁ ଫେରିବାକୁ ଯାଉଛି ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ଓ ବିବାଦୀୟ ରିଆଲିଟି ଶୋ ‘ବିଗ ବସ୍‌’। ଖୁବ୍‌ଶୀଘ୍ର ଏହାର ୧୯ତମ ସିଜନ ସହିତ ପୁଣି ଥରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଦେବ। ପ୍ରତି ବର୍ଷ ଏହି ଶୋ’ର ପ୍ରତିଯୋଗୀଙ୍କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଏ। ସଲମାନ ଖାନ ଦ୍ୱାରା ପରିଚାଳିତ ଏହି ଶୋ’ରେ ଏଥର କିଏ କିଏ ସାମିଲ ହେବେ ତାର ତାଲିକା ସାମ୍ନାକୁ ଆସିଛି। ସେଥିରୁ ଜଣେ ହେଉଛନ୍ତି ପୋଲାଣ୍ଡର ଅଭିନେତ୍ରୀ ନତାଲିଆ ଜାନୋସଜେକ। ନତାଲିଆ କେବଳ ପୋଲିଶ ଫିଲ୍ମରେ ନୁହେଁ, ନିକଟରେ ମୁକ୍ତିଲାଭ କରିଥିବା ବଲିଉଡ ଫିଲ୍ମ ‘ହାଉସଫୁଲ ୫’ରେ ମଧ୍ୟ ଅଭିନୟ କରିଛନ୍ତି।
ନତାଲିଆ ଜାନୋସଜେକ କିଏ?
ନତାଲିଆଙ୍କର ପୂର୍ଣ୍ଣ ନାମ ହେଉଛି ନତାଲିଆ ମାଗଡାଲେନା ଜାନୋସଜେକ। ସେ ଜଣେ ଅଭିନେତ୍ରୀ,ଟେଲିଭିଜନ ବ୍ୟକ୍ତିତ୍ୱ , ଗାୟିକା ଓ ଲେଖିକା ମଧ୍ୟ। ନତାଲିଆ ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ଏବଂ ବଲିଉଡରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। IMDB ଅନୁସାରେ, ତାଙ୍କ ପୁସ୍ତକ Behind the Scenes of Bollywoodରେ ସେ ବଲିଉଡରେ ନିଜର ଅଭିଜ୍ଞତା ବିଷୟରେ ଲେଖିଛନ୍ତି। ନତାଲିଆ ତାଙ୍କର ଇରୋଟିକ ଥ୍ରିଲର ଫିଲ୍ମ ଫ୍ରାଞ୍ଚାଇଜ ‘୩୬୫ ଡେ୍‌ଜ’ ପାଇଁ ବେଶ ଜଣାଶୁଣା। ସେ ଜଣେ ଉତ୍କୃଷ୍ଟ ନୃତ୍ୟଶିଳ୍ପୀ ଏବଂ ଅନେକ ପୋଲିଶ ରିଆଲିଟି ଶୋ’ରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି।
ନତାଲିଆଙ୍କର ଉଲ୍ଲେଖନୀୟ ଅଭିନୟ ମଧ୍ୟରୁ ଭାରତୀୟ ଥ୍ରିଲର ଡ୍ରାମା ଫିଲ୍ମ Chicken Curry Lawରେ ତାଙ୍କର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ଏହି କୋର୍ଟରୁମ ଡ୍ରାମା ଫିଲ୍ମରେ ସେ ମାୟା ଜୋନସନ ନାମକ ଏକ ଧର୍ଷଣ ଶିକାର ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ଆଶୁତୋଷ ରାଣା, ଅମନ ବର୍ମା, ମକରନ୍ଦ ଦେଶପାଣ୍ଡେ, ନିବେଦିତା ଭଟ୍ଟାଚାର୍ଯ୍ୟ ଓ ଜାକିର ହୁସେନ ଭଳି ଦମଦାର ଅଭିନେତାମାନେ କାମ କରିଛନ୍ତି। ଏହି ଫିଲ୍ମ ଆମାଜନ ପ୍ରାଇମରେ ଉପଲବ୍ଧ। ଏହା ବ୍ୟତୀତ, ନିକଟରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ ମଲ୍ଟି-ଷ୍ଟାରର ଫିଲ୍ମ ‘ହାଉସଫୁଲ ୫’ରେ ମଧ୍ୟ ନତାଲିଆ ଏକ ଚରିତ୍ରରେ ଅଭିନୟ କରିଛନ୍ତି।
ବିଗ ବସ ୧୯ରେ ନତାଲିଆଙ୍କୁ ଦେଖିବା ଦର୍ଶକଙ୍କ ପାଇଁ ଏକ ଅଲଗା ଅଭିଜ୍ଞତା ହେବ। ତାଙ୍କର ବହୁମୁଖୀ ପ୍ରତିଭା ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ଶୋ’କୁ ଆହୁରି ରୋଚକ କରିବ ବୋଲି ଆଶା କରାଯାଉଛି। ପ୍ରଶଂସକମାନେ ଏବେ ନତାଲିଆଙ୍କ ବିଗ ବସ ଯାତ୍ରାକୁ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି।
Leave a comment