ମୋ ଜୀବନ ବିପଦରେ ଅଛି – ତନୁଶ୍ରୀ ଦତ୍ତ।

ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତ। ନିକଟରେ ସେ କାନ୍ଦି କାନ୍ଦି ଏକ ଭିଡିଓ କରି ତାହାକୁ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରିଛନ୍ତି। ତାଙ୍କ କହିବାନୁସ‌ାରେ, ୨୦୧୮ ମସିହାର ମିଠୁ ପ୍ରସଙ୍ଗ ପରେ ପରେ ତାଙ୍କୁ ଖୁବ୍‌ ହଇରାଣ କରାଯାଉଛି। ତା‌ଙ୍କ ଜୀବନ ଏବେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରି ବିପଦରେ ରହିଛି।

ସେ ନ୍ୟୁଜ୍‌ ୧୮ ସହ କଥା ହୋଇ କହିଛନ୍ତି ଯେ ବଲିଉଡ୍‌ରେ ଜଣେ ଏପରି ବ୍ୟକ୍ତି ଅଛନ୍ତି, ଯିଏକି ତାଙ୍କ ପଛରେ ପୂରାପୂରି ଭାବେ ପଡ଼ି ଯାଇଛନ୍ତି। ଯେଉଁଭଳି ୨୦୨୦ ମସିହାରେ ସୁଶା‌ନ୍ତ ସିଂହ ରାଜପୁତଙ୍କ ଘରେ ତାଙ୍କ ମୃତଦେହ ମିଳିଥିଲା, ସେଇଭଳି ମୋ ମୃତଦେହ ବି କେବେ ମିଳିବ ବୋଲି ତନୁଶ୍ରୀ କହିଛନ୍ତି। ତାଙ୍କ କହିବାନୁସାରେ, ସୁଶାନ୍ତଙ୍କ ଭଳି ତାଙ୍କୁ ମଧ୍ୟ ହତ୍ୟା କରିବାର ଯୋଜନା କରାଯାଉଛି। ବଲିଉଡ୍‌ରେ ଏକ ବଡ଼ ମାଫିଆ ଗ୍ୟାଙ୍ଗ୍‌ ରହିଛି।

‘ମୋତେ ମୋ ଘରେ ହଇରାଣ କରାଯାଉଛି। ବହୁତ ସହିଲିଣି। ଆଉ ହେବନି। ମୋତେ ସାହାଯ୍ୟ କରନ୍ତୁ।’ କାନ୍ଦି କାନ୍ଦି ଭିଡିଓରେ ଏଭଳି କହିଛନ୍ତି ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ସେ ଦାବି କରିଛନ୍ତି ଯେ, ତାଙ୍କୁ ଗତ ୪-୫ ବର୍ଷ ଧରି ତାଙ୍କ ଘରେ ନିର୍ଯାତନା ଦିଆଯାଉଛି। ଏନେଇ ତାଙ୍କୁ ମଙ୍ଗଳବାର ଦିନ ପୁଲିସକୁ ଫୋନ୍ କରିବାକୁ ପଡିଥିଲା। ସୂଚନା ପାଇ ପୁଲିସ ଆସିଥିଲା ଏବଂ ତାଙ୍କୁ ଉପଯୁକ୍ତ ଉପାୟରେ ଅଭିଯୋଗ କରିବାକୁ କହିଥିଲା ବୋଲି ଅଭିନେତ୍ରୀ କହିଛନ୍ତି। ଏହା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ନାହିଁ ବୋଲି ସେ ଜଣାଇଛନ୍ତି।

Leave a comment