ପୁଣିଥରେ ବାପା-ମା ହୋଇଛନ୍ତି ସୋନମ କପୁର ଏବଂ ତାଙ୍କ ସ୍ବାମୀ ଆନନ୍ଦ ଆହୁଜା
ବଲିଉଡର ଫ୍ୟାଶନ ଆଇକନ୍ ସୋନମ କପୁରଙ୍କ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ସୋନମ କପୁର ଏବଂ ତାଙ୍କ ସ୍ବାମୀ ଆନନ୍ଦ ଆହୁଜା ପୁଣିଥରେ ବାପା-ମା ହୋଇଛନ୍ତି । ଗତକାଲି ସେମାନେ ସେମାନଙ୍କର ଦ୍ବିତୀୟ ସନ୍ତାନକୁ ସ୍ବାଗତ କରିଛନ୍ତି । ଏହି ଖୁସି ଖବରଟିକୁ ସୋନମ କପୁର ନିଜେ ଫ୍ୟାନ୍ସଙ୍କ ସହ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି । ଯାହା ପରେ ଆହୁଜା ପରିବାରକୁ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି ।
ସୋନମ କପୁର ତାଙ୍କର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଦ୍ବିତୀୟ ସନ୍ତାନର ଘୋଷଣା କରିଛନ୍ତି । ଏଥିସହ ଏକ ନୋଟ୍ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଲେଖାଯାଇଛି ଯେ, ‘‘ବହୁତ କୃତଜ୍ଞତା ଏବଂ ପ୍ରେମରେ ପରିପୂର୍ଣ୍ଣ ହୃଦୟ ସହିତ ୨୯ ମାର୍ଚ୍ଚ ୨୦୨୬ରେ ଆମେ ଘରକୁ ଦ୍ବିତୀୟ ପୁତ୍ର ସନ୍ତାନକୁ ସ୍ବାଗତ କରୁଛୁ ।’’ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ‘‘ଆମ ପରିବାର ଆହୁରି ବଡ଼ ହୋଇଯାଇଛି । ସେ ଆସିବା ଖୁସିରେ ଆମ ହୃଦୟ ଆହୁରି ଆନନ୍ଦରେ ଭରିଯାଇଛି । ବଡ଼ ପୁଅ ବାୟୁ ତାଙ୍କ ଛୋଟ ଭାଇକୁ ସ୍ବାଗତ କରି ବହୁତ ଖୁସି ହୋଇଛନ୍ତି । ସେଥିପାଇଁ ଧନ୍ୟ ମନେ କରୁଛୁ । ଏହି ଖୁସି ପାଇଁ ଭଗବାନଙ୍କ ନିକଟରେ କୃତଜ୍ଞ ।’’ ସେପଟେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେଲିବ୍ରିଟି ଏବଂ ଫ୍ୟାନ୍ସଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି ।
ଯଦି ତାଙ୍କ ପ୍ରଥମ ସନ୍ତାନ କଥା କୁହାଯାଏ ତେବେ ସୋନମଙ୍କ ବିବାହର ଚାରି ବର୍ଷ ପରେ ଅଗଷ୍ଟ ମାସ ୨୦୨୨ରେ ପ୍ରଥମ ପୁଅ ବାୟୁକୁ ସ୍ବାଗତ କରିଥିଲେ । ପୁଣି ବାୟୁ ଆସିବାର ଚାରି ବର୍ଷ ପରେ ଦ୍ବିତୀୟ ସନ୍ତାନକୁ ସେ ଜନ୍ମ ଦେଇଛନ୍ତି ।