ଏହି ଔଷଧ ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ଅକାଳମୃତ୍ୟୁ କାରଣ ହୋଇପାରେ
ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ଅକାଳମୃତ୍ୟୁ ନେଇ ଆଜି ପୁଲିସ ନୂଆ କଥା କହିଛି। ଯଦିଓ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି, ତେବେ ତାଙ୍କ ଘରୁ ଜବତ ବାକ୍ସରୁ ଏକ ସାଂଘାତିକ ସୁରାକ୍ ମିଳିଛି। ଜଣେ ଅଧିକାରୀ କହିଛନ୍ତି ଯେ ଜରିୱାଲା ଚର୍ମ ଚିକ୍କଣ ଦେଖାଯିବା ଓ ବୟସ କମ୍ ଦେଖାଯିବା (ଆଣ୍ଟି-ଏଜିଂ) ଔଷଧ ବ୍ୟବହାର କରୁଥିଲେ। ଜବତ ବାକ୍ସରେ ଆଣ୍ଟି-ଏଜିଂ ମେଡିସିନ୍ (ଗ୍ଲୁଟାଥିଓନ୍) ଓ ସ୍କିନ୍ ଗ୍ଲୋ ଔଷଧ ରହିଥିଲା। ଅଧିକାରୀମାନେ ଆହୁରି କହିଛନ୍ତି ଯେ, ସେମାନେ ଡାକ୍ତରଙ୍କ ସହ କଥା ହୋଇଥିଲେ ଏବଂ ସେ ଖାଉଥିବା ଔଷଧ ବିଷୟରେ ବିବରଣୀ ପ୍ରଦାନ କରିଥିଲେ।
ଡାକ୍ତର କହିଛନ୍ତି ଯେ ସେ ଖାଲି ପେଟରେ ଥିଲେ ଏବଂ ମୃତ୍ୟୁ ଦିନ ଉପବାସ କରିଥିଲେ। ସେଦିନ ସେ ଖାଲିପେଟରେ ଗ୍ଲୁଟାଥିଓନର ଏକ ଭାଏଲ୍ (ଛୋଟ ବୋତଲ) ମଧ୍ୟ ନେଇଥିଲେ। ଡାକ୍ତରମାନେ ସନ୍ଦେହ କରିଥିଲେ ଯେ ତାଙ୍କ ରକ୍ତଚାପ ହ୍ରାସ ପାଇଥାଇପାରେ, ଯାହା ଫଳରେ ସେ ହୃଦ୍ଘାତର ଶିକାର ହୋଇଥାଇପାରନ୍ତି। ଜୁନ୍ ୨୭ ତାରିଖ ରାତିରେ ଶେଫାଳିଙ୍କ ମୃତଦେହ ତାଙ୍କ ବାସଭବନରୁ ମିଳିଥିଲା। ତାଙ୍କ ସ୍ୱାମୀ ଅଭିନେତା ପରାଗ ତ୍ୟାଗୀ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ‘ବିଗ୍ ବସ୍ ୧୩’ ଓ ‘ନାଚ୍ବଲିୟେ’ ସମେତ ବିଭିନ୍ନ ହିନ୍ଦୀ ରିୟଲିଟି ସୋ’ରେ ଭାଗ ନେଇଥିଲେ। ଜରିୱାଲା ୯୦ ଦଶକର ଡ୍ୟାନ୍ସ ନମ୍ବର ‘କାଣ୍ଟା ଲଗା’ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ।