ମନ୍ନତ ସପକ୍ଷରେ ଆସିଲା ରାୟ ,ଶାହରୁଖ ନିଜ ଘରେ ତିଆରି କରିବେ ଆଉ ୨ ମହଲା

ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ବଙ୍ଗଳା ମନ୍ନତରେ ଅନେକ ଦିନରୁ ନବୀକରଣ କାମ ଚାଲିଛି। ଶାହରୁଖ ନିଜ ଘରେ ଆଉ ୨ ମହଲା ମଧ୍ୟ ନିର୍ମାଣ କରୁଛନ୍ତି। କୋଷ୍ଟାଲ ରେଗୁଲେସନ ଜୋନ (CRZ) ପକ୍ଷରୁ ମଧ୍ୟ ତାଙ୍କୁ ନିର୍ମାଣ ପାଇଁ ଅନୁମତି ମିଳିଛି। ଅବଶ୍ୟ ସନ୍ତୋଷ ଦୌଣ୍ଡକର ନାମକ ଜଣେ ସାମାଜିକ କର୍ମୀଙ୍କ ଏକ ଆବେଦନ କରି ଏହି ମଞ୍ଜୁରୀକୁ ଚାଲେଞ୍ଜ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରି ଶାହରୁଖଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି।

ପ୍ରକୃତରେ ସନ୍ତୋଷ ଦୌଣ୍ଡକର CRZ ପକ୍ଷରୁ ମିଳିଥିବା ମଞ୍ଜୁରୀକୁ ରଦ୍ଦ କରିବା ପାଇଁ ଦାବି କରିଥିଲେ। ତାଙ୍କର ଅଭିଯୋଗ ଥିଲା ଯେ, ଏହି ସ୍ଥାନଟି ପୂର୍ବରୁ ଆର୍ଟ ଗ୍ୟାଲେରୀ ପାଇଁ ସଂରକ୍ଷିତ ଥିଲା ଏବଂ ପରିବେଶ ମଞ୍ଜୁରୀ ବିନା ଏଠାରେ ନିର୍ମାଣ କାର୍ଯ୍ୟ କରାଯାଇଛି। କିନ୍ତୁ କୋର୍ଟ ଏଭଳି କରିବାକୁ ସ୍ପଷ୍ଟ ମନା କରିଥିଲେ। ଅର୍ଥାତ ବିନା କୌଣସି ବାଧାରେ ମନ୍ନତରେ ନିର୍ମାଣ କାମ ଜାରି ରହିବ ଏବଂ ଶାହରୁଖ ଖାନ ଦୁଇ ଅତିରିକ୍ତ ମହଲା ନିର୍ମାଣ କରାଇପାରିବେ।

କ’ଣ କହିଲେ ସୁପ୍ରିମକୋର୍ଟ ?

ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି ସମୟରେ କହିଛନ୍ତି ଯେ, ଶାହରୁଖ ଖାନ ସେଠାରେ ରହୁଛନ୍ତି। ଏମିତିରେ ଯଦି ସେ ନିଜ ଘରେ ଦୁଇ ଅତିରିକ୍ତ ମହଲା ନିର୍ମାଣ କରିବାକୁ ଚାହୁଛନ୍ତି ତେବେ ଏହା ତାଙ୍କ ନିଜ ନିଷ୍ପତ୍ତି। ନିର୍ମାଣରେ ଆଇନର କୌଣସି ଉଲ୍ଲଘଂନ ହୋଇନାହିଁ। ଏମିତିରେ ପଡ଼ୋଶୀ କିମ୍ବା ଆଉ କେହି ବ୍ୟକ୍ତି ଏଥିରେ କାହିଁକି ଆପତ୍ତି କରିବେ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏବେ ମନ୍ନତରେ ଦୁଇ ଅତିରିକ୍ତ ଦୁଇ ମହଲା ନିର୍ମାଣ ପାଇଁ ରାସ୍ତା ସଫା ହୋଇଛି।ସୂଚନାଥାଉକି, ଶାହରୁଖ ଗତ ମାର୍ଚ୍ଚ ମାସରେ ମନ୍ନତ ବଦଳରେ ବାନ୍ଦ୍ରାରେ ପାଲି ହିଲ ଅଞ୍ଚଳରେ ପୂଜା କାସା ନାମକ ବିଲ୍ଡିଂରେ ରହୁଛନ୍ତି। ମନ୍ନତରେ ଚାଲୁଥିବା ରେନୋଭେସନ ଯୋଗୁ ସେ ଏହି ବିଲ୍ଡିଂରେ ରହୁଛନ୍ତି। ସେ ତିନି ବର୍ଷ ପାଇଁ ଏହି ବିଲ୍ଡିଂରେ ଆପାର୍ଟମେଣ୍ଟ ଭଡ଼ାରେ ନେଇଛନ୍ତି।

Leave a comment