ନୂଆ ଓଡ଼ିଆ ସିନେମା ‘ଛି ଛି ଛିରେ ନନୀ ଛି ଛି’ ରେ ଶୈଳେନ୍ଦ୍ର-ଶିବାନୀଙ୍କ ଯୋଡ଼ି ଦେଖିବାକୁ ପାଇବେ ଦର୍ଶକ
‘ଛି ଛି ଛିରେ ନନୀ ଛି ଛି’- କିଛିଦିନ ତଳେ ଏହି ମୁଖୁଡ଼ା ଥିବା ଗୀତଟି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ଏବେ ସମାନ ଶବ୍ଦକୁ ଶୀର୍ଷକ ଭାବେ ନେଇ ପ୍ରସ୍ତୁତ ହେଉଛି ନୂଆ ଓଡ଼ିଆ ସିନେମା ‘ଛି ଛି ଛିରେ ନନୀ ଛି ଛି’। ଏହି ଛବିରେ ନାୟକ-ନାୟିକା ଭାବେ ଅଭିନୟ କରୁଛନ୍ତି ଶୈଳେନ୍ଦ୍ର ଓ ଶିବାନୀ। ଏଥିରେ ଦ୍ବିତୀୟ ଥର ଲାଗି ଶୈଳେନ୍ଦ୍ର-ଶିବାନୀଙ୍କ ଯୋଡ଼ି ଦେଖିବାକୁ ପାଇବେ ଦର୍ଶକ। ପୂର୍ବରୁ କୁମାର ପ୍ରୀତମ୍ ସାହୁଙ୍କ ପ୍ରଯୋଜିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଗୁଡ୍ଡୁ ଗ୍ୟାଙ୍ଗ୍ଷ୍ଟର୍’ରେ ଶୈଳେନ୍ଦ୍ର-ଶିବାନୀ ଏକାଠି ଅଭିନୟ କରିଥିଲେ। ସୀତାରାମ ଅଗ୍ରୱାଲ୍ଙ୍କ ପ୍ରଯୋଜିତ ଏହି ଭିନ୍ନ ଧରଣର ଲଭ୍ ଷ୍ଟୋରିର ନିର୍ଦ୍ଦେଶନା ଦେଉଛନ୍ତି ସୁଶାନ୍ତ ମଣି।
ସୂଚନାଯୋଗ୍ୟ, ଶୈଳେନ୍ଦ୍ର ଇତିମଧ୍ୟରେ ‘ଗୁପ୍ଚୁପ୍’, ‘ଡେଲିଭରି ବୟ’, ‘ଗୁଡ୍ଡୁ ଗ୍ୟାଙ୍ଗ୍ଷ୍ଟର୍’, ‘ଦଶମ’, ‘ତୋର ମୋର କଟି’, ‘ପ୍ରେମରେ ରିସ୍କ ହେଲା ମତେ ଇସ୍କ’ ଓ ‘ଘମାଘୋଟ’ ଆଦି ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି। ଏସବୁ ଫିଲ୍ମରେ ସେ ସନମୀରା, ଶିବାନୀ, ଶୀତଲ, ପ୍ରିୟମ୍ବଦା, ଦିବ୍ୟା ଓ ନୀଲାକ୍ଷୀ ପ୍ରମୁଖଙ୍କ ବିପକ୍ଷରେ ନାୟକ ବନିଛନ୍ତି। ସେହିପରି ଶିବାନୀ ‘ସିଷ୍ଟର୍ ଶ୍ରୀଦେବୀ’, ‘ପ୍ରେମ୍ କୁମାର’, ‘ବାବୁ ଭାଇଜାନ୍’, ‘ଦିଲ୍ ମୋର ମାନେନା’, ‘କିସ୍ମିସ୍’, ‘ବିଦ୍ୟାରାଣ’, ‘ଗୁଡ୍ଡୁ ଗ୍ୟାଙ୍ଗ୍ଷ୍ଟର୍’ ଓ ‘ମାଲ୍ୟଗିରି’ ଆଦି ୮ଟି ଓଡ଼ିଆ ସିନେମାରେ ନଜର ଆସିଲେଣି। ଏସବୁ ଫିଲ୍ମରେ ବାବୁସାନ୍, ଅନୁଭବ, ସ୍ବରାଜ, ଅରିନ୍ଦମ ଓ ଶୈଳେନ୍ଦ୍ରଙ୍କ ବିପକ୍ଷରେ ନାୟିକା ବନିଛନ୍ତି ଶିବାନୀ। ଏହାଛଡ଼ା ତାଙ୍କ ଅଭିନୀତ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’, ‘ଗଣ୍ଡଭୈରବ’ ଓ ‘ଦି ମିଲେଟ୍ ଷ୍ଟୋରି’ ମୁକ୍ତି ପ୍ରତୀକ୍ଷାରେ ରହିଛି। ଦେଖାଯାଉ ଦ୍ବିତୀୟ ଥର ଶୈଳେନ୍ଦ୍ର-ଶିବାନୀ ଯୋଡ଼ିକୁ ଦର୍ଶକ କେତେ ପସନ୍ଦ କରୁଛନ୍ତି!