ବହୁ ବାଦବିବାଦ ପରେ ପରଦାକୁ ଆସିଲା ‘ସନାତନୀ’

ବହୁ ବାଦବିବାଦ ପରେ ଆଜି ମୁକ୍ତିଲାଭ କରିଛି ଚଳଚ୍ଚିତ୍ର ‘ସନାତନୀ’। ଓଡ଼ିଶାର ୨୨ଟି ପ୍ରେକ୍ଷାଳୟରେ ଏହା ମୁକ୍ତିଲାଭ କରିବାକୁ ଥିବା ବେଳେ ଅପରାହ୍ନରେ ଏହାର ପ୍ରିମିୟର୍‌ ସୋ ଶ୍ରୀୟା ସ୍ବାତୀ ସ୍ତୁତି ସିନେକମ୍ପ୍ଲେକ୍ସରେ ରହିଛି। ଅନ୍ୟପକ୍ଷରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ଦ୍ବାରା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ନେଇ ଅଭିଯୋଗ ହେଉଥିବାରୁ ପୁଲିସ ମଧ୍ୟ ସଜାଗ ଥିବା ଜଣାପଡ଼ିଛି। ଏହି ଚଳଚ୍ଚିତ୍ର ନାମ ପ୍ରଥମେ ‘ହେ ରାମ’ ରଖାଯାଇଥିଲା। ଚଳଚ୍ଚିତ୍ରକୁ ଓଡ଼ିଶାରେ ସେନ୍ସର ବୋର୍ଡ ପ୍ରମାଣପତ୍ର ମିଳିନଥିଲା। ଏହାପରେ ପ୍ରଯୋଜନା ସଂସ୍ଥା ମୁମ୍ବାଇରେ ସେନ୍ସର ବୋର୍ଡ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲା। ଏହାପରେ ଚଳଚ୍ଚିତ୍ର ନାମ ପରିବର୍ତ୍ତନ କରାଯାଇ ‘ସନାତନୀ-କର୍ମ ହିଁ ଧର୍ମ’ ରଖାଯାଇଥିଲା। ମୋଟ ୧ ଘଣ୍ଟା ୪୫ ମିନିଟ୍‌ ୪୫ ସେକେଣ୍ଡର ଏହି ଚଳଚ୍ଚିତ୍ରରୁ ଗୋଟିଏ ମିନିଟ୍‌ କାଟିବା ପରେ ସେନ୍ସର ପ୍ରମାଣପତ୍ର ମିଳିଥିଲା। ଏହାପରେ ଆଇନ ଫାସରେ ଛନ୍ଦି ହୋଇଥିଲା ପ୍ରଯୋଜନା ସଂସ୍ଥା। ଚଳଚ୍ଚିତ୍ର ପ୍ରଦର୍ଶନ ଦ୍ବାରା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ‌ନେଇ ହାଇକୋର୍ଟରେ ଦୁଇଟି ମାମଲା ରୁଜୁ ହୋଇଥିଲା। ଫଳରେ ଚଳଚ୍ଚିତ୍ର ରିଲିଜ୍‌ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଗତକାଲି ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଅରିନ୍ଦମ ସିହ୍ନା ଓ ଜଷ୍ଟିସ୍‌ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଇଦ୍‌ମା କୁରାମି ଅନ୍ୟ ତିନି ଜଣ ଏବଂ ଅମୋଧ କୁମାର ବର୍ଦ୍ଧନଙ୍କ ତରଫରୁ ଦାୟର ଦୁଇ ମାମଲାର ଏକତ୍ର ଶୁଣାଣି କରି ‘ସନାତନୀ’ର ରିଲିଜ୍ ଉପରେ ରୋକ୍‌ ଲଗାଇବାକୁ ମନା କରିଥି‌ଲେ। ଆବେଦନକାରୀଙ୍କ ଆଶଙ୍କା ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାର ଅବଗତ ଅଛନ୍ତି ବୋଲି ହାଇକୋର୍ଟ କହିବା ସହିତ ଫେବ୍ରୁଆରି ୧୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି।