୨୦୨୪ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା: ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ପୁରସ୍କାର
୨୦୨୪ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ସାହିତ୍ୟ ଏକାଡେମୀ ପୁରସ୍କାର । ଭୂତି ଭକ୍ତି ବିଭୂତି ପ୍ରବନ୍ଧ ପୁସ୍ତକ ପାଇଁ ତାଙ୍କୁ ମିଳିବ ପୁରସ୍କାର । ଏହି ପୁସ୍ତକଟି ଆଧ୍ୟାତ୍ମିକ ଚିନ୍ତନ, ବିଶ୍ବଦୃଷ୍ଟି ଓ ମାନବିକତାରେ ରୁଦ୍ଧିମନ୍ତ ହୋଇଛି ।
ପିଲାଦିନୁ ସାରସ୍ୱତ ସାଧନା ପ୍ରତି ତାଙ୍କର ଗଭୀର ଆଗ୍ରହ ରହିଛି । ଆଜି ଯାଏ ୧୨୦ ଖଣ୍ଡ ପୁସ୍ତକର ରଚୟିତା ହେଉଛନ୍ତି ପ୍ରଫେସର ବୈଷ୍ଣବ ଚରଣ ସାମଲ । ଜଣେ ଉଚ୍ଚ ମୂଲ୍ୟବୋଧ ଭିତିକ ପ୍ରାବନ୍ଧିକ ଓ ସମାଲୋଚକ ଭାବେ ତାଙ୍କର ସୁଖ୍ୟାତି ରହିଛି । ଓଡ଼ିଆ ସାହିତ୍ୟର ଇତିହାସ, ଓଡ଼ିଆ ଗଳ୍ପର ଇତିବୃତ୍ତ, ଓଡ଼ିଆ ଗଳ୍ପ: ଉନ୍ମେଷ ଓ ଉତରଣ ସମୀକ୍ଷାଲୋକ ସମେତ ରମ୍ୟରଚନା, କବିତା, ଶିଶୁ ସାହିତ୍ୟ ଓ ଧର୍ମସାହିତ୍ୟ ରଚନା ସହ ଅନେକ ଗ୍ରନ୍ଥ ସମ୍ପାଦନା କରିଛନ୍ତି ।
ଏମ.ଏ. ପ୍ରଥମ ଶ୍ରେଣୀରେ ଉତିନ୍ନ ହେବା ପରେ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା କରିଛନ୍ତି । ଏହାପରେ ଉତ୍କଳ ବିଶ୍ୱବିଦ୍ୟାଳୟ, ବିଶ୍ୱଭାରତୀ, ଶାନ୍ତିନିକେତନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ କାମ କରି ୨୦୦୪ରେ ଅବସର ନେଇଛନ୍ତି ।