ଆଜି ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ ‘କର୍ମ’
ଧରାପୃଷ୍ଠରେ ଜନ୍ମନେଇ ଈଶ୍ବର ମଧ୍ୟ ନିଜ କର୍ମର ଫଳ ନିଜେ ଭୋଗିଛନ୍ତି। ଯେଉଁଠି ଇଶ୍ବର କର୍ମଫଳ ଭୋଗୁଛନ୍ତି, ସେଠି ମଣିଷ ବା ବର୍ତ୍ତିଯିବ କେମିତି? ଯିଏ ଯେମିତି କର୍ମ କରିବ, ସେ ତା’ର ଫଳ ନିଶ୍ଚୟ ପାଇବ। ଏଭଳି ଏକ ବାର୍ତ୍ତା ନେଇ ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହୋଇଛି ବହୁ ଚର୍ଚ୍ଚିତ ଫିଲ୍ମ ‘କର୍ମ’। ଅକ୍ଟୋବର ୯ ତାରିଖ ବୁଧବାର ଦିନ ସାରା ଓଡ଼ିଶାରେ ହାଇବଜେଟ୍ ‘କର୍ମ’ ରିଲିଜ୍ ହେବାକୁ ଥିବାବେଳେ ଆଜି ସନ୍ଧ୍ୟାରେ ଭୁବନେଶ୍ବରର ଶ୍ରୀୟା ଟକିଜ୍ରେ ଏହାର ଏକ ସ୍ବତନ୍ତ୍ର ସୋ’ କରାଯାଇଥିଲା। ଏଥିରେ ଓଡ଼ିଶାର ଆଗଧାଡ଼ିର କଳାକାର, ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ, କାହାଣୀକାର, ସାମ୍ବାଦିକ ଓ ବିଶିଷ୍ଟ ବ୍ୟକ୍ତିମାନେ ଏକାଠି ହୋଇ ଫିଲ୍ମ ଦେଖିଥିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଫିଲ୍ମରେ ସସ୍ପେନ୍ସ ଲାଗି ରହିଥିବା ବେଳେ ଏହାର ସଂଳାପ, ସଂଗୀତ, କଳାକାରଙ୍କ ଅଭିନୟକୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି। କହିବା ଅନାବଶ୍ୟକ ଯେ ନିର୍ଦ୍ଦେଶକ ଅନୁପମଙ୍କର ପୂର୍ବ ସଫଳତା ସହିତ ବହୁଦିନ ବ୍ୟବଧାନରେ ନାୟକ ଅନୁଭବଙ୍କର ଆଗମନ କାରଣରୁ ଫିଲ୍ମଟି ପାଇଁ ସାରା ଓଡ଼ିଶାରେ ପ୍ରବଳ ଦର୍ଶକୀୟ ଉତ୍କଣ୍ଠା ରହିଛି। ଫିଲ୍ମଟି ସେ ଉତ୍କଣ୍ଠା ଓ ଭଲ ପାଇବାର ଯୋଗ୍ୟ ବୋଲି ଆଜି ଏହାକୁ ଦେଖିଥିବା ଅଧିକାଂଶ ବ୍ୟକ୍ତି ସ୍ବୀକାର କରିଛନ୍ତି।