ଶାରୀରିକ ଅସୁସ୍ଥତା କାରଣରୁ ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି

ଲୋକପ୍ରିୟ ଅଭିନେତା ତଥା ବିଜେପିର ବରିଷ୍ଠ ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଶାରୀରିକ ଅସୁସ୍ଥତା କାରଣରୁ ମିଥୁନ ଚକ୍ରବର୍ତ୍ତୀ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବେ ତାଙ୍କୁ ହସ୍ପିଟାଲର ଅବଜରଭେସନ ରଖାଯାଇଛି । ଗୁରୁବାର ରାତିରେ ତାଙ୍କର ଏକ ଛୋଟ ଅସ୍ତ୍ରୋପଚାର କରାଯାଇଥିବା ଜଣାପଡ଼ିଛି । ଯାହାର ସୂଚନା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଦେଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ପାଇଁ ପଶ୍ଚିମବଙ୍ଗ ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ହସ୍ପିଟାଲରେ ପହଞ୍ଚି ମିଥୁନଙ୍କୁ ଭେଟିଥିଲେ ।ଯାହାର କିଛି ଫଟୋ ମଧ୍ୟ ଶୁଭେନ୍ଦୁ ଅଧିକାରୀ ତାଙ୍କ ଅଫିସିଆଲ୍ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁ ଫଟୋରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ହସ୍ପିଟାଲ ବେଡରେ ବିଶ୍ରାମ ନେଉଥିବାର ଦେଖାଯାଇଛି ।

ଅଭିନେତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରିବା ସହ ଏକ ଭାବପ୍ରବଣ ନୋଟ ମଧ୍ୟ ଶୁଭେନ୍ଦୁ ଲେଖିଥିଲେ । ଯେଉଁଥିରେ  ମିଥୁନ ହସ୍ପିଟାଲରେ ଭର୍ତ୍ତି ଥିବା କଥା କହିବା ସହ ସେ ଶୀଘ୍ର ସୁସ୍ଥ ହୋଇ ପୁଣି ଫେରି ଆସନ୍ତୁ ବୋଲି ଶୁଭେନ୍ଦୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଶୁଭେନ୍ଦୁ ଅଧିକାରୀ ଆହୁରି କହିଛନ୍ତି ଯେ, ମିଥୁନଙ୍କର ଏକ ଛୋଟ ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଛି । ଡାକ୍ତରଙ୍କ ସହ ପରାମର୍ଶ ପରେ ତାଙ୍କୁ ଖୁବ୍ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ହେଲେ ଏହି ସମସ୍ତ ଘଟଣାକୁ ମିଥୁନ ଚକ୍ରବର୍ତ୍ତୀ ବ୍ୟକ୍ତିଗତ ରଖିବାକୁ ଚାହୁଁଥିଲେ । ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସେ ଶୁଭେନ୍ଦୁ ଅଧିକାରୀ ଏବଂ ବିଜେପିର ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟଙ୍କୁ ଜଣାଇଥିବା କୁହାଯାଇଛି ।

ଯଦି ମିଥୁନଙ୍କ କାର୍ଯ୍ୟକ୍ଷେତ୍ର କଥା କୁହାଯାଏ ତେବେ ସେ ଦଶନ୍ଧି ଧରି ଭାରତୀୟ ସିନେମାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୧୯୭୦ ଦଶକର ଶେଷ ଭାଗରୁ ଅଭିନୟ ଜଗତରେ ସକ୍ରିୟ ଥିବା ମିଥୁନ ଆଜି ମଧ୍ୟ ଅନେକ ବଡ଼ ପ୍ରୋଜେକ୍ଟ ସହ ଜଡ଼ିତ ଅଛନ୍ତି । ୨୦୨୫ରେ ମଧ୍ୟ ତାଙ୍କୁ ଅନେକ ଫିଲ୍ମରେ ଦେଖିବାକୁ ମିଳିଥିଲା । ଏହା ସହିତ ରଜନୀକାନ୍ତଙ୍କ ଅଭିନୀତ ଜେଲର 2 ଫିଲ୍ମରେ ମିଥୁନ ଚକ୍ରବର୍ତ୍ତୀ ଏକ ବିସ୍ତାରିତ କ୍ୟାମିଓରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ଏବେ ମିଥୁନ ଚକ୍ରବର୍ତ୍ତୀଙ୍କ ଶୀଘ୍ର ଆରୋଗ୍ୟ ପାଇଁ ତାଙ୍କ ପ୍ରଶଂସକ, ଶୁଭେଚ୍ଛୁ ଏବଂ ରାଜନୈତିକ ସହଯୋଗୀମାନେ ପ୍ରାର୍ଥନା କରୁଛନ୍ତି ।

 

Leave a comment