ମନୋଜ ମିଶ୍ରଙ୍କ ନାମରେ ଥାନାରେ ଏତଲା

ମନୋଜଙ୍କ ନାଁରେ କଟକ ସାଇବର ଥାନାରେ ଏତଲା । ଏତଲା ଦେଲା ଓଡ଼ିଆ ସିନେମା ଓ ଟିଭି ନିର୍ଦେଶକ ସଙ୍ଘ । ମନୋଜ ନିର୍ଦେଶକମାନଙ୍କ ଚରିତ୍ର ହନନ କରୁଥିବା ଅଭିଯୋଗ ହୋଇଛି । ସାମାଜିକ ଗଣମାଧ୍ୟମରେ ସମ୍ମାନ ହାନୀ କରୁଥିବା ନେଇ ଏତଲାରେ ଉଲ୍ଲେଖ ରହିଛି ।  ରାଜ୍ୟରେ ବିଭିନ୍ନ ସମୟରେ ମୁକ୍ତିଲାଭ କରୁଥିବା ଓଡ଼ିଆ ଚଳଚ୍ଚିତ୍ରରେ ଶ୍ରୀ ମିଶ୍ର ସମ୍ପୃକ୍ତ ଚଳଚ୍ଚିତ୍ର ସହିତ ଜଡ଼ିତ ନିର୍ଦ୍ଦେଶକ, କଳାକାର, ଟେକ୍ନିସିଆନ୍‌ଙ୍କ ବିରୋଧରେ ଲଗାତର ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ରଖିଆସୁଥିବା ଅଭିଯୋଗରେ ମଙ୍ଗଳବାର କଟକ ସାଇବର୍ ଥାନାରେ ଓଡ଼ିଶା ଟିଭି ଓ ଫିଲ୍ମ ନିର୍ଦ୍ଦେଶକ ସଂଘ ପକ୍ଷରୁ ଏତଲା ଦିଆଯାଇଛି।

ସଂଘର ସଭାପତି ସବ୍ୟସାଚୀ ମିଶ୍ରଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ନାଗରିକଙ୍କ ମତ ଦେବାର ଅଧିକାର ରହିଛି। ତା’ମାନେ ନୁହେଁ ଯେ, କାହାର ଚରିତ୍ର ସଂହାର କଲାଭଳି ଟିପ୍ପଣୀ ରଖାଯିବ। ମନୋଜ ମିଶ୍ର ଯେ କୌଣସି ଓଡ଼ିଆ ଫିଲ୍ମ ରିଲିଜ୍ ହେଉଛି, ତାହା ଉପରେ ମତ ଦେଉଛନ୍ତି। ଅତି ଅଶାଳୀନ ଢଙ୍ଗରେ ସେ ଓଡ଼ିଆ କଳାକାରଙ୍କ ଚରିତ୍ର ସଂହାର କରୁଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ପ୍ରାୟ ଦେଢ଼ ବର୍ଷ ହେବ ଅଭିନେତା ମନୋଜ ମିଶ୍ର ରିଲିଜ୍ ହେଉଥିବା ପ୍ରତ୍ୟେକ ଓଡ଼ିଆ ଫିଲ୍ମ ଉପରେ ମନ୍ତବ୍ୟ ରଖି ଆସୁଛନ୍ତି। ସେ ନିଜସ୍ୱ ୟୁଟ୍ୟୁବ୍ ଚ୍ୟାନେଲ୍ ଓ ସାମାଜିକ ଗଣମାଧ୍ୟମରେ ସିନେମାର ଅନୁଶୀଳନ ନାଁରେ ସିନେମା ସହିତ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଆସୁଛନ୍ତି।