‘ଆଶା ଭୋଁସଲେ ପୁରସ୍କାର ୨୦୨୬’ ରେ ସମ୍ମାନିତ ହେଲେ ସୁମଧୁର କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ

ବଲିଉଡର ଅନ୍ୟତମ ଲୋକପ୍ରିୟ ଏବଂ ସୁମଧୁର କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ। ବର୍ତ୍ତମାନ ତାଙ୍କୁ ପ୍ରତିଷ୍ଠିତ ‘ଆଶା ଭୋଁସଲେ ପୁରସ୍କାର ୨୦୨୬’ ରେ ସମ୍ମାନିତ କରାଯାଇଛି। ପୁଣେ ଠାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ହୃଦୟନାଥ ମଙ୍ଗେସକର ଶ୍ରେୟାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ପୁରସ୍କାର ଗ୍ରହଣ କରିବା ସମୟରେ ଏହି ଗାୟିକା ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିଲେ।

ପୁରସ୍କାର ପାଇବା ପରେ ଶ୍ରେୟାଙ୍କ ପ୍ରତିକ୍ରିୟା

ସମ୍ମାନ ଗ୍ରହଣ କରିବା ପରେ ଶ୍ରେୟା କହିଛନ୍ତି, “ଆଶା ଭୋଁସଲେ ପୁରସ୍କାର ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା କେବଳ ଏକ ସମ୍ମାନ କିମ୍ବା ଆଶୀର୍ବାଦ ନୁହେଁ, ବରଂ ମୋ ପାଇଁ ଏହା ଏକ ବିରାଟ ଦାୟିତ୍ୱ।” ଆଶା ତାଇଙ୍କୁ ନିଜର ପ୍ରେରଣା ଓ ଆଦର୍ଶ ବୋଲି ବର୍ଣ୍ଣନା କରି ସେ ଆହୁରି କହିଛନ୍ତି ଯେ, ହୃଦୟନାଥ ମଙ୍ଗେସକରଜୀଙ୍କ ହାତରୁ ଏହି ପୁରସ୍କାର ପାଇବା ତାଙ୍କ ପାଇଁ ଗୁରୁ ଆଶୀର୍ବାଦ ସମାନ । ସେ ଏହି ସ୍ମରଣୀୟ ଦିନଟିକୁ ସବୁଦିନ ପାଇଁ ମନେ ରଖିବେ।

ଚାରି ବର୍ଷ ବୟସରୁ ସଙ୍ଗୀତ ଯାତ୍ରା

ମାତ୍ର ୪ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିବା ଶ୍ରେୟା ଶାସ୍ତ୍ରୀୟ ସଙ୍ଗୀତରେ ଶିକ୍ଷା ଗ୍ରହଣ କରିଥିଲେ। ଟିଭି ରିଆଲିଟି ଶୋ’ “ସା ରେ ଗା ମା ପା” ଜିତିବା ପରେ ତାଙ୍କ ଜୀବନରେ ଏକ ନୂତନ ମୋଡ଼ ଆସିଥିଲା। ଯେଉଁଠାରେ ପ୍ରସିଦ୍ଧ ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂଶାଲି ତାଙ୍କ ପ୍ରତିଭାକୁ ଚିହ୍ନିଥିଲେ। ୨୦୦୨ ମସିହାରେ ‘ଦେବଦାସ’ ଚଳଚ୍ଚିତ୍ରରୁ ପ୍ଲେବ୍ୟାକ୍ ଗାୟିକା ଭାବେ ଡେବ୍ୟୁ କରି ପ୍ରଥମ ପ୍ରୟାସରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାତେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୩,୦୦୦ରୁ ଅଧିକ ଗୀତ ଗାଇସାରିଥିବା ଶ୍ରେୟା ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ, ବଙ୍ଗାଳୀ, ମରାଠୀ ଏବଂ ମାଲାୟଲମ ସମେତ ୨୦ରୁ ଅଧିକ ଭାଷାରେ ନିଜର ଯାଦୁକରୀ କଣ୍ଠଦାନ କରି ସଙ୍ଗୀତ ଜଗତରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରିଛନ୍ତି।

Leave a comment