ଆରପାରିରେ ବରିଷ୍ଠ ଅଭିନେତା ମନୋଜ କୁମାର

ବଲିଉଡରୁ ଆସିଛି ଏକ ଦୁଃଖଦ ଖବର । ବରିଷ୍ଠ ଅଭିନେତା ମନୋଜ କୁମାରଙ୍କ ଦେହାନ୍ତ ହୋଇଛି । ସେ ୮୭ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ଦେଶପ୍ରେମପୂର୍ଣ୍ଣ ସିନେମା କରିଥିଲେ । ସେଥିପାଇଁ ତାଙ୍କ ପ୍ରଶଂସକମାନେ ତାଙ୍କୁ ଭଲପାଇ ‘ଭାରତ କୁମାର’ ବୋଲି ଡାକୁଥିଲେ । ଖାସ୍ କରି, ସେ କ୍ରାନ୍ତି ଏବଂ ଉପକାର ଭଳି ଦେଶପ୍ରେମପୂର୍ଣ୍ଣ ଚଳଚ୍ଚିତ୍ର ପାଇଁ ପ୍ରସିଦ୍ଧ ଥିଲେ ।

ମନୋଜଙ୍କ ମୃତ୍ୟୁ ଖବର ତାଙ୍କ ଫ୍ୟାନ୍ସଙ୍କୁ ଦୁଃଖିତ କରିଛି । ସୋସିଆଲ ମିଡିଆରେ ସମସ୍ତେ ନିଜ ପ୍ରିୟ କଳାକାରଙ୍କୁ ନୀରବ ଆଖିରେ ବିଦାୟ ଦେଉଛନ୍ତି। ବରିଷ୍ଠ ଅଭିନେତାଙ୍କ ନିଧନରେ ସେଲିବ୍ରିଟିମାନେ ମଧ୍ୟ ଶୋକପ୍ରକାଶ କରିଛନ୍ତି । ମନୋଜ କୁମାର ସାହାରା, ଚାନ୍ଦ, ହନିମୁନ୍, ପୁରବ୍ ଔର ପଶ୍ଚିମ, ନସିବ, ମେରୀ ଆୱାଜ୍ ସୁନୋ, ନୀଲ କମଲ, ଉପକାର ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । ତାଙ୍କୁ ଜାତୀୟ ପୁରସ୍କାର, ପଦ୍ମଶ୍ରୀ ଏବଂ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ଏହି ଅଭିନେତା ଜଣକ ୧୯୫୭ ମସିହାରେ ଫିଲ୍ମ ଫ୍ୟାଶନ୍ ମାଧ୍ୟମରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ୧୯୬୫ ତାଙ୍କ କ୍ୟାରିୟର ପାଇଁ ଏକ ବଡ଼ ପରିବର୍ତ୍ତନ ଆଣିଥିଲା । ଏହି ବର୍ଷ ମୁକ୍ତିଲାଭ କରିଥିବା ଶହୀଦ ଚଳଚ୍ଚିତ୍ର ତାଙ୍କ କ୍ୟାରିଅରକୁ ଏକ ବଡ଼ ସଫଳତା ଦେଇଥିଲା । ଏହାପରେ ସେ କେବେ ପଛକୁ ଫେରି ଚାହିଁ ନଥିଲେ । ମନୋଜ କୁମାରଙ୍କ ଫିଲ୍ମଗୁଡ଼ିକ କେବଳ ହିଟ୍ ହୋଇନଥିଲା, ବରଂ ତାଙ୍କ ଗୀତଗୁଡ଼ିକ ମଧ୍ୟ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲା ।

Leave a comment