ଲୋକଙ୍କୁ କାଶ୍ମୀର ବୁଲିବା ପାଇଁ ଆସିବାକୁ ଅପିଲ୍ କଲେ ଅଭିନେତା ଅତୁଲ୍ କୁଲକର୍ଣ୍ଣୀ

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ ସ୍ତବ୍ଧ ହୋଇଥିବା ବେଳେ ବଲିଉଡ୍ ଅଭିନେତା ଅତୁଲ୍ କୁଲକର୍ଣ୍ଣୀ କାଶ୍ମୀର ବୁଲିବାକୁ ଯାଇଛନ୍ତି । ଭୂସ୍ବର୍ଗ ବୋଲାଉଥିବା କାଶ୍ମୀରରେ ସେ ଅନେକ ଫଟୋ ଉଠାଇବା ସହ ସ୍ଥାନୀୟ ଲୋକଙ୍କ ସହ କଥା ହୋଇଛନ୍ତି । ଅଭିନେତା ଲୋକଙ୍କୁ କାଶ୍ମୀର ବୁଲିବା ପାଇଁ ଆସିବାକୁ ମଧ୍ୟ ଅପିଲ୍ କରିଛନ୍ତି । ତାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଯେ ଏତେ ସମ୍ବେଦନଶୀଳ ସମୟରେ ବି ସେ କାହିଁକି କାଶ୍ମୀର ଆସିଛନ୍ତି । ଏହି ପ୍ରଶ୍ନରେ ଅଭିନେତା କହିଥିଲେ ଯେ ସେ ଆତଙ୍କବାଦୀଙ୍କ ଉଦ୍ଦେଶ୍ୟକୁ ପୂରଣ ହେବାକୁ ଦେବେ ନାହିଁ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅତୁଲ୍ କହିଥିଲେ ‘କାଶ୍ମୀରର ପହଲଗାମରେ ଯେଉଁ ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦାୟକ । ଏଭଳି ହେବାର ନଥିଲା । ମୁଁ ଯେତେବେଳେ ପ୍ରଥମେ ଏହି ଖବର ବିଷୟରେ ଜାଣିଥିଲି କିଛି ଘଣ୍ଟା ପାଇଁ ଚୁପ୍ ହୋଇ ଯାଇଥିଲି ଏବଂ ଭାବିଥିଲି ଯେ ପ୍ରତିଥର ଏମିତି ହିଁ କିଛି କରନ୍ତି ଆତଙ୍କବାଦୀ । ଆଉ ପ୍ରତିଥର ଆମେ କ’ଣ କରୁ ଘରେ ବସି ଖବର ବିଷୟରେ ଜାଣିଲା ମାତ୍ରେ ସୋସିଆଲ୍ ମିଡିଆରେ ଲେଖି ପୋଷ୍ଟ୍ କରୁ , ପରିବାର-ବନ୍ଧୁବାନ୍ଧବଙ୍କ ସହ କଥା ହୋଇ ଚର୍ଚ୍ଚା କରୁ । କିନ୍ତୁ ଏହାଦ୍ବାରା କ’ଣ ସୁଫଳ ମିଳେ ଜଣାପଡ଼େନି । ଏଥର ମତେ ଅନୁଭବ ହେଲା ଯେ ପ୍ରକୃତରେ ମୁଁ ଏଥିପ୍ରତି କ’ଣ କରିପାରିବି । ତା’ପରେ ଖବର ଖେଳାଉ ଖେଳାଉ ନଜରରେ ଆସିଲା ଯେ କାଶ୍ମୀରର ପିକ୍ ସିଜନ୍ ଚାଲିଥିବା ବେଳେ ୯୦ % ବୁକିଂକୁ ରଦ୍ଦ କରି ଦେଇଛନ୍ତି ପର୍ଯ୍ୟଟକ । ମତେ ଅନୁଭବ ହେଲା ଯେ ଏହା କାଶ୍ମୀର ଲୋକଙ୍କ ପେଟକୁ ଲାତ ମାରିଲା ଭଳି ହେବ । ତେଣୁ ବେଶୀ କିଛି ନଭାବି ମୁଁ କାଶ୍ମୀର ଚାଲିଆସିଲି । ବର୍ଷେ , ୨ ବର୍ଷ ଭିତରେ କାଶ୍ମୀରକୁ ବହୁଳ ମାତ୍ରାରେ ପର୍ଯ୍ୟଟକ ଆସୁଥିଲେ । ଦୁଃସାହସିକ କ୍ରୀଡ଼ାରେ ଭାଗ ନେଉଥିଲେ , ପାହାଡ଼-ସବୁଜିମାକୁ ଉପଭୋଗ କରୁଥିଲେ , ସେଲ୍ଫି-ରିଲ୍ସ ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରୁଥିଲେ । ଅଚାନକ ଯଦି ଆମେ କାଶ୍ମୀର ଆସିବା ବନ୍ଦ କରିଦେବା ତା’ହେଲେ କାଶ୍ମୀର ଏବଂ ଅନ୍ୟ ରାଜ୍ୟ ମଧ୍ୟରେ ସମ୍ବନ୍ଧ ଘନିଷ୍ଠ ହୋଇପାରିବ ନାହିଁ । ଆତଙ୍କବାଦୀମାନେ ଏଭଳି କାଣ୍ଡ ଭିଆଇ ସନ୍ଦେଶ ଦେଲେ ଯେ କେହି କାଶ୍ମୀର ଆସନାହିଁ । କିନ୍ତୁ ଆମେ କାଶ୍ମୀର ନିହାତି ଆସିବୁ । ମୁଁ ଲୋକଙ୍କୁ ଅନୁରୋଧ କରୁଛି କାଶ୍ମୀର ପାଇଁ କରିଥିବା ବୁକିଂକୁ ଆଦୌ କ୍ୟାନ୍ସିଲ୍ କରନ୍ତୁ ନାହିଁ ।ଅଭିନେତା ଅତୁଲ୍ କୁଲକର୍ଣ୍ଣୀ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ କାଶ୍ମୀରର ଅନେକ ଫଟୋ ସେୟାର୍ କରିଛନ୍ତି । ଯେଉଁଥିରେ ମୁମ୍ବାଇରୁ ଶ୍ରୀନଗର ପର୍ଯ୍ୟନ୍ତ ପୂରା ଫ୍ଲାଇଟ୍ ଖାଲି ଥିବାର ନଜର ଆସୁଛି । ଅଭିନେତା ପହଲଗାମର ମଧ୍ୟ ଅନେକ ଫଟୋ ସେୟାର୍ କରିଥିଲେ ।

Leave a comment