ବର୍ଷା ହେଲେ ସ୍କୁଲ ଛାତରୁ ପାଣି ଗଳୁଛି ତ କେଉଁଠି ଛାତରୁ କଂକ୍ରିଟ୍ ଖସୁଛି,ପିଲାଙ୍କ ସୁରକ୍ଷାକୁ ନେଇ ସ୍କୁଲରେ ତାଲା ପକାଇଲେ ଅଭିଭାବକ
ସ୍କୁଲ ଛାତରୁ ଗଳୁଛି ପାଣି । ଭୟରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ । ବର୍ଷା ହେଲେ ସ୍କୁଲ ଛାତରୁ ପାଣି ଗଳୁଛି ତ କେଉଁଠି ଛାତରୁ କଂକ୍ରିଟ୍ ଖସୁଛି । ଏଭଳି ବିପଦପୂର୍ଣ୍ଣ ପରିବେଶରେ ପାଠ ପଢ଼ୁଛନ୍ତି କୁନି କୁନି ପିଲା । ପିଲାଙ୍କ ସୁରକ୍ଷାକୁ ନେଇ ସ୍କୁଲରେ ତାଲା ପକାଇଲେ ଅଭିଭାବକ । ମାଲକାନଗିରି ଜିଲ୍ଲା ସଦରରେ ଥିବା ଚିତାନନ୍ଦ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ୬୨ ଜଣ ଛାତ୍ର ଛାତ୍ରୀ ପଢୁଛନ୍ତି । ସ୍କୁଲର ଦୟନୀୟ ଅବସ୍ଥା ସମ୍ପର୍କରେ ଗତ ତିନି ବର୍ଷ ଧରି ସିଆରସିସି, ବିଇଓ ଓ ଡିଇଓଙ୍କ ସମେତ ବିଭିନ୍ନ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ ଜଣାଇ ଆସୁଥିଲେ ମଧ୍ୟ ସ୍କୁଲର ମରାମତି ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି ।
ବର୍ତ୍ତମାନ ବର୍ଷା ଋତୁରେ ସ୍କୁଲ ଛାତରୁ ପାଣି ଗଳିବା ସହ କଂକ୍ରିଟ୍ ଖସିବା ଏବଂ ଛାତର ଅନେକ ସ୍ଥାନ ଦୁର୍ବଳ ହୋଇପଡ଼ିଥିବାରୁ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି । ନିଜ ପିଲାଙ୍କ ଜୀବନକୁ ବିପଦରେ ପକାଇ ସ୍କୁଲକୁ ପଠାଇବାକୁ ଅଭିଭାବକମାନେ ରାଜି ନହୋଇ ସ୍କୁଲରେ ତାଲା ପକାଇଛନ୍ତି । ମାଲକାନଗିରି ଏବିଇଓ ସ୍କୁଲରେ ପହଞ୍ଚି ସ୍କୁଲର ମରାମତି କାମ ଆରମ୍ଭ କରାଯିବା ନେଇ ପ୍ରତିଶ୍ରୁତି ମିଳିବା ପରେ ହଟିଛନ୍ତି ଅଭିଭାବକ ।