ସମ୍ଭାବ୍ୟ ବର୍ଷା ଯୋଗୁଁ ଅକ୍ଟୋବର ୨୭ ଓ ୨୮ରେ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା
ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି । ଏନେଇ ଜିଲ୍ଲାପାଳ ମଧୁମିତା ଓ ଜିଲ୍ଲା ଦାୟିତ୍ୱ ରେ ଥିବା ମୁଖ୍ୟମନ୍ତ୍ରୀ ଙ୍କର ଅତିରିକ୍ତ ସଚିବ ଡ. ମହେଶ୍ୱର ସ୍ୱାଇଁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସମ୍ଭାବ୍ୟ ବର୍ଷା ଯୋଗୁଁ ଅକ୍ଟୋବର ୨୭ ଓ ୨୮ ତାରିଖରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାର ୨୨ଟି ବିପଦସଂକୁଳ ପଞ୍ଚାୟତ ଓ ୬୦ଟି ଗ୍ରାମ ଚିହ୍ନଟ ହୋଇଥିବାବେଳେ ୧୧ ହଜାର ଲୋକଙ୍କ ସ୍ଥାନାନ୍ତର ପାଇଁ ଯୋଜନା ହୋଇଛି।
ଉଦ୍ଧାର ପାଇଁ ୬ଟି ଓଡ୍ରାଫ୍ ଟିମ୍, ୧୨ଟି ଅଗ୍ନିଶମ ଦଳ ଓ ୨୫୧ଟି ଯାନ ପ୍ରସ୍ତୁତ ରଖାଯାଇଛି। ୧୦ଟି ସ୍ଥାୟୀ ଓ ୧୨୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ସହ ରିଲିଫ୍ ସାମଗ୍ରୀ ମହଜୁଦ ରହିଛି। ଚିହ୍ନଟ ୩୨୦ ଜଣ ଗର୍ଭବତୀଙ୍କ ମଧ୍ୟରୁ ୮୩ ଜଣଙ୍କୁ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି। ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳରେ ଗୋଟିଏ ପାୱାର ବୋଟ୍ ଓ ୯ଟି ଫାୟାର ବୋଟ୍ ମୁତୟନ ହୋଇଛି।
ଜିଲ୍ଲାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିଛି। ଜରୁରୀକାଳୀନ ଯୋଗାଯୋଗ ନମ୍ବର ୦୬୮୫୮-୨୨୨୪୩୪। ଜନସାଧାରଣଙ୍କୁ ସରକାରୀ ପାଣିପାଗ ସୂଚନା ଅନୁସରଣ କରିବା ଓ ଅନାବଶ୍ୟକ ଭାବେ ବାହାରକୁ ନଯିବାକୁ ପ୍ରଶାସନ ପରାମର୍ଶ ଦେଇଛି