ସ୍ନାନଯାତ୍ରା ପାଇଁ ଆସନ୍ତାକାଲି ସ୍କୁଲ୍ ଛୁଟି
ମହାପ୍ରଭୁଙ୍କ ଦିବ୍ୟ ଏବଂ ଭବ୍ୟ ସ୍ନାନଯାତ୍ରା ରାତି ପାହିଲେ ଅନୁଷ୍ଠିତ ହେବ। ବିଶ୍ବ ପ୍ରସିଦ୍ଧ ଏହି ଯାତ୍ରା ପାଇଁ ପୁରୀ ସହର ଚଳଚଞ୍ଚଳ ହୋଇ ଉଠିଛି। ପୁରୀ ଅଭିମୁଖେ ହଜାର ହଜାର ଭକ୍ତଙ୍କର ପ୍ରବେଶ ହେଉଛି। ରାତି ପାହିଲା ବେଳକୁ ବଡ଼ଦାଣ୍ଡରେ ଲୋକାରଣ୍ୟ ହୋଇ ସାରିଥିବ। ଏହି ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ମହାନଗର ନିଗମ ଅଧୀନରେ ସବୁ ସ୍କୁଲ୍କୁ ଆସନ୍ତାକାଲି (୨୦୨୬ ଜୁନ ୨୯) ଛୁଟି ଘୋଷଣା କରାଯାଇଛି। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପୁରୀ ସହରର ସମସ୍ତ ସ୍କୁଲ ଛୁଟି ନେଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଦେବସ୍ନାନ ପୂର୍ଣ୍ଣିମା ଭିଡ଼କୁ ଦେଖି ପୁରୀ ସହର ଭିତରେ ଥିବା ସବୁ ସ୍କୁଲ ଆସନ୍ତାକାଲି ବନ୍ଦ ନିଷ୍ପତ୍ତି ନିଆଯାଇଛି। ଫଳରେ ସମସ୍ତ ସରକାରୀ, ବେସରକାରୀ, ଇଂଲଶ ମିଡିୟମ ସ୍କୁଲ ବନ୍ଦ ରହିବ। ସେହିପରି ଶିଶୁ ବାଟିକାଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲ୍ ଛୁଟି ରହିବ। ଗୋରୁଆଲସ୍ଥିତ ମଦର୍ସ ପବ୍ଲିକ ସ୍କୁଲ, ମାଳତିପାଟପୁରସ୍ଥିତ ପ୍ରଭୁଶ୍ରୀ ଇଂଲିଶ ମିଡିୟମ ସ୍କୁଲ ଏବଂ ପୁରୀ ସଦରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମଧ୍ୟ ବନ୍ଦ ରହିବ।