ଲଗାଣ ବର୍ଷା ପାଇଁ ଆସନ୍ତାକାଲି ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି ବନ୍ଦ
ବନ୍ୟା ସ୍ଥିତି ଓ ଲଗାଣ ବର୍ଷା ପାଇଁ ଆସନ୍ତାକାଲି ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି ବନ୍ଦ ରହିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଓ ବାଲେଶ୍ବର ଜିଲ୍ଲାପାଳ । ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ସହ ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ପାଠପଢା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏପଟେ ଭଦ୍ରକ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ନିରନ୍ତର ବର୍ଷା ଫଳରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିଥିବା ସହ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତାଘାଟ ଜଳମଗ୍ନ ହେବା, ଯାତାୟାତରେ ବାଧା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଛି ।
ଜିଲ୍ଲା ପ୍ରଶାସନଙ୍କ ସୂଚନା ଅନୁସାରେ, ଭଦ୍ରକ ଓ ବାଲେଶ୍ବରର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟରେ ପାଠପଢା ସମ୍ପୂର୍ଣ୍ଣ ଭାବେ ସ୍ଥଗିତ ରହିବ। ଏହା ସହ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ। ଅଭିଭାବକମାନଙ୍କୁ ପିଲାମାନଙ୍କୁ ଘରେ ସୁରକ୍ଷିତ ରଖିବା ଓ ଅନାବଶ୍ୟକ ବାହାରକୁ ନ ପଠାଇବାକୁ ପରାମର୍ଶ ଦିଆଯାଇଛି।