ଚଳିତବର୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଥମଥର ଇଂରାଜୀ ଏବଂ ଓଡ଼ିଆରେ ମିଳିବ ପାସ୍ ସର୍ଟିଫିକେଟ୍
ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ପଦକ୍ଷେପ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଚଳିତବର୍ଷ ବାର୍ଷିକ ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଥମଥର ଦୁଇଟି ଭାଷାରେ ଅର୍ଥାତ୍ ଇଂରାଜୀ ଏବଂ ଓଡ଼ିଆରେ ଅରିଜିନାଲ୍ ପାସ୍ ସର୍ଟିଫିକେଟ୍ ଯୋଗାଇ ଦିଆଯିବ। ଏହାକୁ ନେଇ ବୋର୍ଡ ପକ୍ଷରୁ ସମସ୍ତ ବିଦ୍ୟାଳୟକୁ ନିର୍ଦ୍ଦେଶ ଜାରି କରାଯାଇଛି । ପ୍ରଧାନ ଶିକ୍ଷକଙ୍କୁ ଛାତ୍ରଛାତ୍ରୀଙ୍କ ନାମ, ବାପା ଓ ମା’ଙ୍କ ନାମକୁ ଓଡ଼ିଆ ଭାଷାରେ ସଠିକ୍ ଭାବେ ସଂଗ୍ରହ କରି ଅନଲାଇନ୍ ମାଧ୍ୟମରେ ଦାଖଲ କରିବାକୁ କୁହାଯାଇଛି । ବୋର୍ଡ ୱେବସାଇଟ୍ରେ ଏଥିପାଇଁ ଶୀଘ୍ର ଲିଙ୍କ ଉପଲବ୍ଧ କରାଯିବ ।ତେବେ ଅନଲାଇନ୍ ତଥ୍ୟ ଦାଖଲ ପୂର୍ବରୁ ଅଭିଭାବକଙ୍କ ଠାରୁ ନିର୍ଦ୍ଦିଷ୍ଟ ଫର୍ମାଟ୍ରେ ତଥ୍ୟ ସଂଗ୍ରହ କରି ତାହାର ଯାଞ୍ଚ କରିବାକୁ ସ୍କୁଲ୍କୁ କୁହାଯାଇଛି । ନାମଗୁଡ଼ିକର ବନାନ ଓ ଶବ୍ଦକୁ ନିର୍ଭୁଲ ଭାବରେ ଲେଖିବାକୁ ଗୁରୁତ୍ୱ ଦିଆଯାଇଛି । ସମସ୍ତ ପ୍ରକ୍ରିୟାକୁ ୧୫ ଦିନ ମଧ୍ୟରେ, ଅର୍ଥାତ୍ ୨୦ ମଇ ୨୦୨୬ ମଧ୍ୟରେ ସମାପ୍ତ କରିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି। ଯଦି ଏହାରେ ବିଳମ୍ବ ହୁଏ, ତେବେ ସର୍ଟିଫିକେଟ୍ରେ ତ୍ରୁଟି ଘଟିପାରେ ବୋଲି ସତର୍କ କରାଯାଇଛି । ଏଥି ସହିତ, ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ମଧ୍ୟ ଏହି ପ୍ରକ୍ରିୟା ତ୍ୱରାନ୍ୱିତ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତ୍ରୁଟିଶୂନ୍ୟ ଭାବେ ସମାପ୍ତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।