+୩ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର
ଚଳିତ ୨୦୨୪-୨୫ ଶିକ୍ଷାବର୍ଷରେ +୩ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଅଂଶଗ୍ରହଣ କରି +୩ ପାଠ୍ୟକ୍ରମରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଆଡ଼ମିସନ୍ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ବୋଲି ଶନିବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, +୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଗତ ଅଗଷ୍ଟ ମାସ ୧୨ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହି ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୨୬ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ସମ୍ବନ୍ଧୀୟ ଏକ ଗାଇଡ଼ଲାଇନ୍ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ହୋଇଥିଲା, ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀମାନେ ଦ୍ବିତୀୟ ପର୍ଯ୍ୟାୟରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଉଲ୍ଲେଖ ଥିଲା। ଏ ସମ୍ବନ୍ଧୀୟ ସୂଚନା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଆଡ଼ମିସନ ପ୍ରକ୍ରିୟା ଆରମ୍ଭରୁ କମନ୍ ପ୍ରସ୍ପେକ୍ଟସ୍ ୨୦୨୪-୨୫ ମାଧ୍ୟମରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ଜଣାଇ ଦିଆଯାଇଥିଲା।