ବନ୍ୟା ଗଞ୍ଜାମ ଜିଲ୍ଲାର ୪୯୮ଟି ବିଦ୍ୟାଳୟ କ୍ଷତିଗ୍ରସ୍ତ,ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା

ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପରିସ୍ଥିତି ଗଞ୍ଜାମ ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରଭାବିତ କରିଛି। ବନ୍ୟା ଯୋଗୁଁ ଜିଲ୍ଲାର ୪୯୮ଟି ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି।

ପ୍ରାଥମିକ ଆକଳନ ଅନୁଯାୟୀ, ବନ୍ୟାରେ ଜିଲ୍ଲାର ମୋଟ ୪୯୮ଟି ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି। ଏଥିମଧ୍ୟରେ ୧୦୩୨ଟି ଶ୍ରେଣୀଗୃହ ଏବଂ ୨୧୫ଟି ବିଦ୍ୟାଳୟର ପାଚେରି କ୍ଷତିଗ୍ରସ୍ତ ହୋଇଛି। ଫଳରେ ଅନେକ ବିଦ୍ୟାଳୟରେ ପାଠପଢ଼ା ପରିବେଶ ପ୍ରଭାବିତ ହୋଇଛି । ବର୍ତ୍ତମାନ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ଜାରି ରହିଛି। ବିଦ୍ୟାଳୟଗୁଡ଼ିକର କ୍ଷୟକ୍ଷତି ଆକଳନ ସହ ଆବଶ୍ୟକ ମରାମତି ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଶିକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସୂଚନା ଅନୁଯାୟୀ, ଆସନ୍ତା ୯ ତାରିଖରୁ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ପୁନର୍ବାର ଖୋଲିବ। ଏହା ପୂର୍ବରୁ ବିଦ୍ୟାଳୟଗୁଡ଼ିକର କ୍ଷୟକ୍ଷତି ଆକଳନ ଓ ମରାମତି କାର୍ଯ୍ୟ ଶେଷ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।

Leave a comment