ଆଜି ଠୁ ସିବିଏସ୍ଇ ଦଶମ ଏବଂ ଦ୍ବାଦଶଶ୍ରେଣୀ ବୋର୍ଡ଼ ପରୀକ୍ଷା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ପରିଚାଳିତ ଦଶମ ଏବଂ ଦ୍ବାଦଶଶ୍ରେଣୀ ବୋର୍ଡ଼ ପରୀକ୍ଷା ଆଜିଠାରୁ ଆରମ୍ଭ ହେବ। ଚଳିତବର୍ଷ ୪୬ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଦଶମ ଏବଂ ଦ୍ବାଦଶ ପରୀକ୍ଷା ଦେବେ। ପରୀକ୍ଷା ପୂର୍ବାହ୍ଣ ୧୦ଟା ୩୦ରୁ ଆରମ୍ଭ ହେବ। ଛାତ୍ରଛାତ୍ରୀ ପୂର୍ବାହ୍ଣ ୧୦ଟା କିମ୍ବା ଏହା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି। ପୂର୍ବାହ୍ଣ ୧୦ଟା ପରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ଦିଆଯିବନି। ସେହିପରି ଦଶମରେ ପ୍ରଥମ ବୋର୍ଡ ପରୀକ୍ଷା ବାଧ୍ୟତାମୂଳକ ବୋଲି ସିବିଏସ୍‌‌ଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଦେଶରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ସମ୍ମିଳନୀ ଏବଂ ଉଚ୍ଚସ୍ତରୀୟ ବୈଠକ ପାଇଁ ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ସମସ୍ୟା ଉପୁଜିପାରେ। ଉଭୟ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାର୍ଥୀଙ୍କୁ ଏନେଇ ଆଗୁଆ ସଚେତନ କରାଇଛି ସିବିଏସ୍‌ଇ। ଘରୁ ପରୀକ୍ଷା କେନ୍ଦ୍ରକୁ ବାହାରିବା ପୂର୍ବରୁ ହାତରେ ଯଥେଷ୍ଟ ସମୟ ରଖି ଆସିବା ପାଇଁ ଅଭିଭାବକ ଓ ପରୀକ୍ଷାର୍ଥୀଙ୍କୁ ସଚେତନ କରାଯାଇଛି।

ପରୀକ୍ଷା କେନ୍ଦ୍ରରେ ପୂର୍ବାହ୍ଣ ୧୦ଟା ସୁଦ୍ଧା ପହଞ୍ଚିବାକୁ କୁହାଯାଇଛି। ଘରୁ ନିଜ ପରୀକ୍ଷା କେନ୍ଦ୍ରର ରୁଟ୍‌ ଚାର୍ଟ ପୂର୍ବରୁ ପ୍ରସ୍ତୁତ କରି ନେବା ଉଚିତ୍‌ ବୋଲି ଦର୍ଶାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ର ଫାଟକ ପୂର୍ବାହ୍ଣ ୧୦ଟାରେ ବନ୍ଦ ହେବ। ଏହାପରେ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ଅନୁମତି ମିଳିବନି। ଅନ୍ୟପକ୍ଷରେ ଦଶମରେ ଦୁଇଟି ବୋର୍ଡ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଏହାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଥିଲା। କିଛି କାରଣରୁ ପ୍ରଥମ ବୋର୍ଡ ପରୀକ୍ଷା ଦେଇପାରୁନଥିବା ପରୀକ୍ଷାର୍ଥୀଙ୍କୁ ଦ୍ବିତୀୟ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ପ୍ରଦାନ କରିବାକୁ ଅନୁରୋଧ ଆସିବା ପରେ ସିବିଏସ୍‌ଇ ପକ୍ଷରୁ ଏହା ଉପରେ ସ୍ପଷ୍ଟୀକରଣ ରଖାଯାଇଛି। ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ବୋର୍ଡ ପରୀକ୍ଷା ବାଧ୍ୟତାମୂଳକ। ପ୍ରଥମ ବୋର୍ଡ ପରୀକ୍ଷା ଦେଇଥିଲେ ମଧ୍ୟ ଦ୍ବିତୀୟ ବୋର୍ଡ ପରୀକ୍ଷା ପାଇଁ ଅନୁମତି ମିଳିବ। ପ୍ରଥମ ବୋର୍ଡ ପରୀକ୍ଷାରେ ୩ଟି ବା ତଦୂର୍ଦ୍ଧ୍ବ ବିଷୟରେ ପରୀକ୍ଷା ଦେଇନଥିଲେ ଦ୍ବିତୀୟ ବୋର୍ଡ ପରୀକ୍ଷା ପାଇଁ ଅନୁମତି ଦିଆଯିବନି। ସମସ୍ତ ଉତ୍ତୀର୍ଣ୍ଣ ଏବଂ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ, ଲାଙ୍ଗୁଏଜ୍ ପେପର ଭିତରୁ ୩ଟି ବିଷୟରେ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଅନୁମତି ଦିଆଯିବ।ପ୍ରଥମ ବୋର୍ଡ ପରୀକ୍ଷା ନ ଦେଲେ ‘ଏସେନସିଆଲ ରିପିଟ’ ବର୍ଗରେ ରହିବେ। ‘ଏସେନସିଆଲ ରିପିଟ’ ବର୍ଗରେ ରହିଥିବା ଛାତ୍ରଛାତ୍ରୀ ପରବର୍ତ୍ତୀ ବର୍ଷ ପରୀକ୍ଷା ଦେବେ। ଚଳିତବର୍ଷ ସିବିଏସ୍ଇ ଦ୍ବାରା ପରିଚାଳିତ ଦ୍ୱାଦଶଶ୍ରେଣୀ ପରୀକ୍ଷା ଖାତା କମ୍ପ୍ୟୁଟର ମାଧ୍ୟମରେ ମୂଲ୍ୟାୟନ କରାଯିବ। ଅର୍ଥାତ ଅନ୍ ସ୍କ୍ରିନ୍ ମାର୍କିଂ (ଓଏସ୍ଏମ୍) କରାଯିବ। ଏହାଦ୍ୱାରା ଖାତା ଦେଖାରେ ସ୍ୱଚ୍ଛତା ଆସିବ। ଏଥିସହ କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି ପାଇବ। ଶିକ୍ଷକମାନେ ଖାତା ଦେଖା ସହ ବିଦ୍ୟାଳୟରେ ନିୟମିତ କାର୍ଯ୍ୟ କରିପାରିବେ। ଖାତାଦେଖା ସମୟ ଓ ଖର୍ଚ୍ଚ କମିବ। ଖାତା ଦେଖିବା ଲାଗି ନିୟୋଜିତ ହେଉଥିବା ଶିକ୍ଷକଙ୍କ ସଂଖ୍ୟା ମଧ୍ୟ କମିବ। ଏଥିପାଇଁ ସବୁ ସିବିଏସ୍ଇ ଅନୁବନ୍ଧିତ ବିଦ୍ୟାଳୟକୁ ନିଜର କମ୍ପ୍ୟୁଟର ଲାବ୍ ଓ ଇଣ୍ଟରନେଟ୍ ସଂଯୋଗକୁ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦିଆଯାଇଛି। ଦଶମଶ୍ରେଣୀ ବୋର୍ଡ ପରୀକ୍ଷା ଖାତା ପୂର୍ବଭଳି ମୂଲ୍ୟାୟନ କରାଯିବ।

Leave a comment