ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା , ଏମ୍ସରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି ଛାତ୍ରୀ
ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ହୃଦୟ ବିଦାରକ ଘଟଣା । ଜଣେ ସହକାରୀ ପ୍ରଫେସରଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ଆସୁଥିବା ଛାତ୍ରୀ ମହାବିଦ୍ୟାଳୟ କ୍ୟାମ୍ପସ୍ରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ପୀଡ଼ିତା ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଛି । ବର୍ତ୍ତମାନ ସେ ଏମ୍ସ ଭୁବନେଶ୍ବରରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଏ ନେଇ ଏମ୍ସ ଚିକିତ୍ସାଧିକାରୀ କହିଛନ୍ତି, ବର୍ତ୍ତମାନ ଛାତ୍ରୀଙ୍କ ଅବସ୍ଥା ଅତ୍ୟନ୍ତ ଜଟିଳ ରହିଛି । ୧୨ଜଣିଆ ଡାକ୍ତରୀ ଦଳ ଚିକିତ୍ସାରେ ନିୟୋଜିତ ରହିଛନ୍ତି । ଶରୀରର ୯୦ ପ୍ରତିଶତରୁ ଅଧିକ ଜଳିଯାଇଛି । ତାଙ୍କୁ ୭୨ଘଣ୍ଟା ନିରୀକ୍ଷଣରେ ରଖାଯିବ । ଚେତା ଫେରିବା ପରେ ଯାହା କିଛି କହିହେବ । ଅପରପକ୍ଷେ ରାଜ୍ୟ ସରକାର ପୀଡ଼ିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଛନ୍ତି ।
ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ତ୍ବରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଅଭିଯୁକ୍ତ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କୁ ନିଲମ୍ବିତ କରିଛନ୍ତି । ଏଥି ସହିତ ସହକାରୀ ପ୍ରଫେସର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଛି । ପୀଡ଼ିତା ଛାତ୍ରୀ ଭୋଗରାଇ ଅଞ୍ଚଳର । ସେ ଏଫ୍ଏମ୍ କଲେଜରେ ଇଣ୍ଟିଗ୍ରେଟେଡ୍ ବିଏଡ୍ ଦ୍ବିତୀୟ ବର୍ଷର ଛାତ୍ରୀ । ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ କର୍ମକର୍ତ୍ତା ମଧ୍ୟ । ଗତ କିଛିମାସ ହେବ ତାଙ୍କୁ ବିଏଡ୍ ବିଭାଗର ବିଭାଗୀୟ ମୁଖ୍ୟ ତଥା ସହକାରୀ ପ୍ରଫେସର ସମୀର କୁମାର ସାହୁ ହଇରାଣ କରିଆସୁଥିଲେ ।
ତାଙ୍କୁ ଅସଦାଚରଣ ସହ ପରୋକ୍ଷରେ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିବା ନେଇ ସେ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିରେ ଜୁଲାଇ ୧ରେ ଅଭିଯୋଗ କରିଥିଲେ । ପ୍ରାୟ ୪ଦିନ ତଳେ କମିଟି ଏ ନେଇ କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ରିପୋର୍ଟ ପ୍ରଦାନ କରିଥିଲା । ତେବେ, ଏଥିରେ ଅଭିଯୁକ୍ତ ଏଚ୍ଓଡି ସମୀର କୁମାରଙ୍କୁ ସୁହାଇଲା ଭଳି ରିପୋର୍ଟ ପ୍ରଦାନ ସହ ମାମଲାର ସମାଧାନ ପାଇଁ ଛାତ୍ରୀଙ୍କ ଉପରେ ଚାପ ପକାଯାଇଥିଲା ବୋଲି କୁହାଯାଉଛି । ଫଳରେ ଶନିବାର ଛାତ୍ରୀ ଜଣକ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।