୨୦୦ଟି ନୂଆ ହାଲୁକା ହେଲିକପ୍ଟର କିଣିବ ସେନା
ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି । ପ୍ରତିରକ୍ଷା ମନ୍ତ୍ରାଳୟ ନିଜର ପୁରୁଣା ଚେତକ ଓ ଚିତା ହେଲିକପ୍ଟରକୁ ବଦଳାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିପାଇଁ ପ୍ରାୟ ୨୦୦ଟି ନୂଆ ହାଲୁକା ହେଲିକପ୍ଟର କିଣାଯିବ । ଏହି ହେଲିକପ୍ଟର ଗୁଡ଼ିକର ନାଁ ରହିଛି ‘ରିକୋନାସେନ୍ସ’ ଏବଂ ‘ସର୍ଭିଲେନ୍ସ ହେଲିକପ୍ଟର’ । ଏହି ହେଲିକପ୍ଟରଗୁଡ଼ିକ ଗୁଇନ୍ଦା ସୂଚନା ସଂଗ୍ରହ କରିବା ସହ ବାସ୍ତବ ସ୍ଥିତି ସୂଚନା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ହେଲିକପ୍ଟର ଉଭୟ ଭାରତୀୟ ସେନା ଓ ବାୟୁସେନା ପାଇଁ ରହିବ । ଭାରତୀୟ ବାୟୁସେନାକୁ ଦୀର୍ଘ ଦିନ ଧରି ସେବା ଯୋଗାଇ ଆସୁଛି ପୁରୁଣା ଚେତକ ଓ ଚିତା ହେଲିକପ୍ଟର । ପ୍ରସ୍ତାବିତ ଯୋଜନାରେ ଭାରତୀୟ ସେନାକୁ ୧୨୦ଟି ହେଲିକପ୍ଟର ଓ ବାୟୁସେନାକୁ ୮୦ଟି ହେଲିକପ୍ଟର ଯୋଗାଇ ଦିଆଯିବ । ବିଶେଷ କରି ସୀମାବର୍ତ୍ତୀ ଅଞ୍ଚଳରେ ସର୍ଭେଲାନ୍ସ, ରିକୋନାସେନ୍ସ ଏବଂ ତ୍ୱରିତ ପ୍ରତିକ୍ରିୟା ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଏଗୁଡ଼ିକର ବ୍ୟବହାର କରାଯିବ । ଏହି ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ରିକ୍ୱେଷ୍ଟ ଫର ଇନଫର୍ମେସନ ବା ଆରଏଫଆଇ ଜାରି କରାଯାଇଛି ।