ମନେପଡ଼େ ଭାରତୀୟ ସେନାର ବଳିଦାନ : ଆଜି କାର୍ଗିଲ ବିଜୟ ଦିବସ

ଆଜି କାର୍ଗିଲ ବିଜୟ ଦିବସ ।  ଆମ ଦେଶରେ ଗାଁରୁ ସହର ସବୁଠି ‘କାର୍ଗିଲ ବିଜୟ ଦିବସ’ ପାଳନ କରାଯାଉଛି। କାର୍ଗିଲ ସହିଦଙ୍କୁ ସ୍ମରଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି ।  ବୀର ଯବାନଙ୍କ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରିବା ସହ ଦେଶର ଅଖଣ୍ଡତାକୁ ବଜାୟ ରଖିବା ଓ ସୁରକ୍ଷା ଦେବା ପାଇଁ ଆଜି ଏହି ଦିବସ ପାଳନ ହେଉଛି ।

YouTube player

ଭାରତ ବିରୋଧରେ ଛାୟାଯୁଦ୍ଧ ଚଲାଇ ଆସୁଥିବା ପାକିସ୍ତାନ 24 ବର୍ଷ ତଳେ ଏଲଓସି ନିକଟରେ କାରଗିଲ ପାହାଡ଼କୁ ଷଡ଼ଯନ୍ତ୍ର କରି ଅକ୍ତିଆର କରିବାକୁ ଚାହୁଁଥିଲା ପାକିସ୍ତାନ । ଆତଙ୍କବାଦୀଙ୍କ ସହ ପାକିସ୍ତାନ ସେନା ଆଧୁନିକ ବନ୍ଧୁକ ଧରି ବରଫ ପାହାଡ଼କୁ କବଜା କରିଦେଇଥିଲେ । ପାହାଡ଼ ତଳେ ଥିବା ଭାରତୀୟ ସେନା ଏସବୁ ଜାଣିନଥିଲେ ।  ୧୯୯୯ ମସିହା ମେ’ ୬ରେ କାରଗିଲକୁ ପାକିସ୍ତାନ ସେନା କବଜା କରିସାରିଥିବା  ଖବର ପହଁଚେ ଦିଲ୍ଲୀରେ । ତାପରେ ଆରମ୍ଭ ହୁଏ ଯୁଦ୍ଧ । ପାକିସ୍ତାନ ସେନା ପାହାଡ ଉପରେ ରହି ଗୁଳି ଚଳାଉଥିବାବେଳେ, ତଳେ ରହି ଯୁଦ୍ଧ କରିବା ସେତେଟା ସହଜ ହେଉନଥିଲା ଭାରତୀୟ ଯବାନଙ୍କୁ । ୧୯୯୯ ମେ’ ୯ ତାରିଖରେ ପାକିସ୍ତାନ ସୀମାରୁ ଭାରତୀୟ ଘାଟି ଉପରକୁ  ପ୍ରଚଣ୍ଡ ଆକ୍ରମଣ କରିଥିଲା । ପାକିସ୍ତାନର ଆକ୍ରମଣରେ କାରଗିଲରେ ଅବସ୍ଥିତ ଅସ୍ତ୍ର ଭଣ୍ଡାର ଛାରଖାର ହୋଇଗଲା ।  ଏହାପରେ ୧୯୯୯ ମେ’ ୨୧ରେ ପଡ଼ ପଦକ୍ଷେପ ନେଇଥିଲା ଭାରତ।  ଶ୍ରୀନଗର ଏବଂ ପଠାନକୋଟ୍ ଏୟାରବେସରୁ ମିଗ୍-୨୧, ମିଗ୍-୨୭ ଏବଂ ଏମ୍-୧୭ ଦ୍ରାସ ସେକ୍ଟର ଅଭିମୁଖେ ଉଡ଼ାଣ କରି ପାକିସ୍ତାନ ସେନା ଉପରେ ବୋମା ବର୍ଷା କରିଥିଲା । ଦ୍ରାସ ସେକ୍ଟରରେ ଲୁଚିଥିବା ଅନୁପ୍ରବେଶକାରୀଙ୍କ ଉପରେ ସିଧା ଆଟାକ୍ ହେବାରୁ ସେମାନେ ଛତ୍ରଭଙ୍ଗ କରିଥିଲେ ।  ଭାରତୀୟ ବାୟୁସେନାର ଏହି ଲଢୁଆ ବିମାନ ଆକ୍ରମଣରେ ପାକିସ୍ତାନ ସେନାର ବିପୁଳ କ୍ଷତି ହୋଇଥିଲା।  ଜୁଲାଇ ୨୬ ଆଜିର ତାରିଖରେ କାର୍ଗିଲ ଘାଟିକୁ ନିଜ ଅକ୍ତିଆରକୁ ନେଇଥିଲେ ଭାରତୀୟ ଯବାନ।

 

ତେବେ କାର୍ଗିଲ ବିଜୟ ଦିବସରେ ସହିଦ ହୋଇଥିବା ଯବାନଙ୍କୁ ସଲାମ ଜଣାଇବା ପାଇଁ ଏହା ପ୍ରତିବର୍ଷ ପାଳନ କରାଯାଉଛି । ଏହି ଯୁଦ୍ଧକୁ  ଅପରେସନ୍ ବିଜୟ ନାମରେ ନାମ ଦିଆଯାଇଥିଲା ।  ଯୁଦ୍ଧରେ ଭାରତୀୟ ଯବାନଙ୍କ ବୀରତ୍ୱ ସମ୍ମୁଖରେ ପାକିସ୍ତାନ ସେନା ପରାଜୟ ସ୍ଵୀକାର କରିଥିଲେ । ସ୍ଥଳ ସେନା ସହ ମିଶି ଭାରତୀୟ ବାୟୁସେନା  ପାକିସ୍ତାନ ସେନା ଶିବିର ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ ।  କାରଗିଲ୍‌ ଯୁଦ୍ଧରେ ହଜାର ହଜାର ପାକିସ୍ତାନ ସୈନିକ ପ୍ରାଣ ହରାଇଥିବା ବେଳେ  ଅନେକ ଭାରତୀୟ ଯବାନ ସହିଦ ହୋଇଥିଲେ। ସହିଦ ହୋଇଥିବା ଭାରତୀୟ ଯବାନମାନଙ୍କ ମଧ୍ୟରେ କୋଡ଼ିଏ ଜଣ ଅଫିସର, ୨୩ ଜଣ ଜୁନିଅର କମାଣ୍ଡର ଅଫିସର ମଧ୍ୟ ଥିଲେ । ଯୁଦ୍ଧରେ ପ୍ରାୟ 20,000 ଭାରତୀୟ ସୈନିକ ଲଢ଼ିଥିଲେ । ଭାରତୀୟ ସେନାଙ୍କ ଆକ୍ରମଣ ପରେ ପାକିସ୍ତାନ ସେନା ଆନ୍ତର୍ଜାତୀୟ ସୀମା ପାର ହେବାକୁ ବାଧ୍ୟ ହୋଇଥିଲା ।   ପ୍ରାୟ ଦୁଇମାସ ଧରି ଚାଲିଥିବା କାର୍ଗିଲ ଯୁଦ୍ଧ ହେଉଛି ଭାରତୀୟ ସେନାର ସାହସର ପ୍ରତୀକ । ୧୯୯୮ ମସିହାରେ ଉଭୟ ଦେଶ ପରମାଣୁ ପରୀକ୍ଷଣ କରିବା ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ଏହା ପ୍ରତ୍ୟକ୍ଷ ଓ ଖୋଲା ଯୁଦ୍ଧର ପ୍ରଥମ ଉଦାହରଣ ହୋଇଥିବାରୁ ଏହି ବିବାଦ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଥଲା।