ଭାରତର ପ୍ରଥମ ସ୍ବଦେଶୀ ଲଢ଼ୁଆ ବିମାନ, ତେଜସ୍ Mk1A ଆଜି ସଫଳତାର ସହ ଉଡ଼ାଣ କରିଛି
ଭାରତକୁ ମିଳିଲା ଆଉ ଏକ ସଫଳତା। ଶତ୍ରୁ ପାଇଁ କାଳ ତିଆରି କଲା ଭାରତ। ସ୍ବଦେଶୀ ଜିନିଷ ବ୍ୟବହାର ଉପରେ ଭାରତ ସରକାର ଗୁରୁତ୍ବାରୋପ କରୁଥିବା ବେଳେ ଏବେ ଭାରତକୁ ଏହାର ପ୍ରଥମ ସ୍ୱଦେଶୀ ଲଢ଼ୁଆ ବିମାନ ମିଳିଛି। ଭାରତର ସ୍ୱଦେଶୀ ଲଢ଼ୁଆ ବିମାନ, ତେଜସ୍ Mk1A ଆଜି ସଫଳତାର ସହ ଉଡ଼ାଣ କରିଛି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL)ର ନାସିକ୍ କାରଖାନାରେ ତେଜସ୍ର ସଫଳ ପରୀକ୍ଷଣ କରାଯାଇଥିବା ଜଣାଯାଇଛି। LCA (ହାଲୁକା ଯୁଦ୍ଧ ବିମାନ) ପାଇଁ HALର ତୃତୀୟ ଉତ୍ପାଦନ କେନ୍ଦ୍ର ଏବଂ HTT-40 ତାଲିମଦାତା ବିମାନ ପାଇଁ ଦ୍ୱିତୀୟ ଉତ୍ପାଦନ କେନ୍ଦ୍ର ମଧ୍ୟ ଉଦଘାଟିତ ହୋଇଛି।
ତେଜସ୍ Mk1A ଏକ ୪.୫-ପିଢ଼ିର ବହୁ-ଭୂମିକା ଥିବା ଯୁଦ୍ଧ ବିମାନ, ଯାହା ବାୟୁରେ ରହି ଦେଶକୁ ସୁରକ୍ଷା ଦେବା ସହ ଭୂମି ଉପରେ ମଧ୍ୟ ଆକ୍ରମଣ କରିପାରିବ। ଭାରତୀୟ ବାୟୁସେନା ପାଖରେ ପୂର୍ବରୁ ତେଜସ୍ ବିମାନ ଅଛି, କିନ୍ତୁ ତେଜସ୍ Mk1A ଏକ ଉନ୍ନତ ସଂସ୍କରଣ ଯେଉଁଥିରେ ଅନେକ ନୂତନ ପ୍ରଯୁକ୍ତିବିଦ୍ୟାକୁ ଅନ୍ତର୍ଭୁକ୍ତ କରାଯାଇଛି। ଗତ ମାସ ସେପ୍ଟେମ୍ବର ୨୬ ତାରିଖରେ ବାୟୁସେନା ତା’ରବାହିନୀରୁ MiG-21କୁ ଅବସର ଦେଇଥିଲା। HAL କହିଛି ଯେ ତେଜସ୍ Mk1Aର ସମସ୍ତ ପରୀକ୍ଷଣ ସଫଳତାର ସହ ସମାପ୍ତ ହୋଇଛି। ଏହି ଲଢ଼ୁଆ ବିମାନଟି ବ୍ରହ୍ମୋସ ସମେତ ବିଭିନ୍ନ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହେବ। ତେଜସ୍ Mk1A ର ବେଗ ଘଣ୍ଟା ପ୍ରତି ୨୨୦୦ କିଲୋମିଟରରୁ ଅଧିକ। ଏହା ତେଜସ୍ ଲଢ଼ୁଆ ବିମାନର ଏକ ଉନ୍ନତ ସଂସ୍କରଣ, ଯେଉଁଥିରେ ଉନ୍ନତ ଏଭିଓନିକ୍ସ ଏବଂ ରାଡାର ସିଷ୍ଟମ ରହିଛି।