୧୧୪ଟି ରାଫେଲ ଯୁଦ୍ଧବିମାନ କିଣିବାକୁ ଯାଉଛି ଭାରତ
ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଭାରତ ୧୧୪ଟି ରାଫେଲ ଯୁଦ୍ଧବିମାନ କିଣିବାକୁ ଯାଉଛି। ତେବେ ସରକାର ଏଥିରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ଓ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ପରିବହନ କରିବାକୁ ଯୋଜନା ରଖିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଫ୍ରାନ୍ସ ଜେଟ୍ ନିର୍ମାତା ଡାସଲ୍ଟକୁ ଏହିପରି ପ୍ରସ୍ତାବ ପାଇଁ ଅନୁରୋଧ କରିବ ବୋଲି ଆଶା କରାଯାଉଛି। ଏହାପରେ ଚୁକ୍ତିନାମା ଆଲୋଚନା ଆଗେଇବ ବୋଲି କୁହାଯାଇଛି। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଫେବ୍ରୁଆରି ୧୨ରେ ଏହି ଚୁକ୍ତିକୁ ମଞ୍ଜୁରି ଦେଇଥିଲା। ପ୍ରସ୍ତାବ ଅନୁଯାୟୀ ୧୮ଟି ଲଢ଼ୁଆ ବିମାନ ସିଧାସଳଖ ଫ୍ରାନ୍ସରୁ ଉଡ଼ିବା ସ୍ଥିତିରେ ଅଣାଯିବ ଓ ଅନ୍ୟ ୯୬ଟି ଭାରତରେ ୨୫ ପ୍ରତିଶତ ସ୍ବଦେଶୀ ଜ୍ଞାନକୌଶଳ ଉପଯୋଗ କରି ନିର୍ମାଣ କରାଯିବ।ତେବେ ଫ୍ରାନ୍ସ ରାଫେଲ ନିର୍ମାତା ଡାସଲ୍ଟ ଭାରତକୁ ଯୁଦ୍ଧ ବିମାନର ‘ସୋର୍ସ କୋଡ୍’ ହସ୍ତାନ୍ତର କରିବାକୁ ମନା କରିଦେବା ପରେ ଏହି ମେଗା ଡିଲ୍ ବାଧା ସୃଷ୍ଟି ହୋଇଛି ବୋଲି ଏକ ରିପୋର୍ଟରେ ଜଣାପଡ଼ିଛି। କୌଣସି ନିର୍ମାତା କମ୍ପାନି ଏହିସବୁ ସମ୍ବେଦନଶୀଳ ତଥ୍ୟ ଅନ୍ୟ ଦେଶକୁ ପ୍ରଦାନ କରେନାହିଁ। ‘ସୋର୍ସ କୋଡ୍’ ଯୁଦ୍ଧ ବିମାନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରେ ଯେଉଁଥିରେ ଏଭିଓନିକ୍ସ, ଟାର୍ଗେଟ ଟ୍ରାକିଂ, ଉଡ଼ାଣ ନିୟନ୍ତ୍ରଣ, ଅସ୍ତ୍ର ପ୍ରକ୍ଷେପଣ ଏବଂ ଅସ୍ତ୍ର ମୁକ୍ତି ଆଲଗୋରିଦମ ଅନ୍ତର୍ଭୁକ୍ତ। ଏହି କୋଡ୍ ହେଉଛି ମୂଳ ଉପକରଣ ନିର୍ମାତାଙ୍କ ବୌଦ୍ଧିକ ସମ୍ପତ୍ତି, ଯାହା ନିକଟତମ ସହଯୋଗୀଙ୍କ ସହିତ ମଧ୍ୟ ସେୟାର କରାଯାଏ ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି। ଭାରତର ଦୀର୍ଘକାଳୀନ ରଣନୈତିକ ସହଯୋଗୀ ରୁଷ୍ ମଧ୍ୟ ଭାରତକୁ ସୋର୍ସ କୋଡ ପ୍ରଦାନ କରିନଥାଏ ବୋଲି ଅଧିକାରୀ ଜଣକ କହିଛନ୍ତି।