୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୭.୮୫ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ବଜେଟ୍ ଉପସ୍ଥାପନ
ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ବଡ଼ ଧରଣର ବ୍ୟୟବରାଦ ଘୋଷଣା କରିଛନ୍ତି ସରକାର। ‘ଅପରେସନ ସିନ୍ଦୂର’ ପରେ ସୀମାରେ ବଢ଼ୁଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ବଜେଟ ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୭.୮୫ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ଗତ ଆର୍ଥିକ ବର୍ଷର ୬.୮୧ ଲକ୍ଷ କୋଟି ଟଙ୍କା ତୁଳନାରେ ଏକ ବଡ଼ ବୃଦ୍ଧି। ଯାହା ଦେଶର ମୋଟ ଜିଡିପି (GDP)ର ପ୍ରାୟ ୧୧ ପ୍ରତିଶତ।
ଏଥିରେ ମୁଖ୍ୟତଃ ସେନାର ଆଧୁନିକୀକରଣ ତଥା ନୂତନ ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ ବ୍ୟୟବରାଦକୁ ୨୧.୮୪ ପ୍ରତିଶତ ବୃଦ୍ଧି କରାଯାଇ ୨.୧୯ ଲକ୍ଷ କୋଟି ଟଙ୍କା କରାଯାଇଛି। ସେଥିମଧ୍ୟରୁ କେବଳ ବିମାନ ଏବଂ ଏରୋ-ଇଞ୍ଜିନ୍ ପାଇଁ ୬୩,୭୩୩ କୋଟି ଟଙ୍କା ଧାର୍ଯ୍ୟ ହୋଇଛି।
ସେନାର ପରିଚାଳନା, ମରାମତି ଏବଂ ଦରମା ପାଇଁ ବ୍ୟୟବରାଦରେ ୧୭.୨୪ ପ୍ରତିଶତ ବୃଦ୍ଧି କରାଯାଇଛି। ସେହିପରି ପ୍ରତିରକ୍ଷା ପେନସନ୍ ପାଇଁ ୧.୭୧ ଲକ୍ଷ କୋଟି ଟଙ୍କା ବରାଦ ହୋଇଛି।
ଏଥିସହିତ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହୃତ ବିମାନର ମରାମତି ଓ ନିର୍ମାଣ ପାଇଁ ଆମଦାନୀ ହେଉଥିବା କଞ୍ଚାମାଲ ଉପରୁ ମୌଳିକ ସୀମା ଶୁଳ୍କ ଛାଡ଼ କରିବାକୁ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଏହା ଦେଶୀୟ ମାନୁଫାକ୍ଚରିଂକୁ ଶକ୍ତିଶାଳୀ କରିବ।