ଦୀର୍ଘ ୪୬ ଘଣ୍ଟା ପରେ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ବାଭାବିକ
ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରୁ ହଟିଲା ଅଚଳାବସ୍ଥା। ଦୀର୍ଘ ୪୬ ଘଣ୍ଟା ପରେ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ବାଭାବିକ ହୋଇଛି। ସନ୍ଧ୍ୟା ସାଢ଼େ ୬ଟାରେ ଦିଅଁଙ୍କୁ ମହାସ୍ନାନ କରାଯିବା ପରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସହ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଛି। ଗତ ସୋମବାର ରାତି ୮ଟାରୁ ଦୁଇ ସେବାୟତଙ୍କ ବିବାଦ ଯୋଗୁଁ ଦିଅଁଙ୍କ ନୀତିକାନ୍ତି ବନ୍ଦ ରହିଥିଲା। ମକର ସଂକ୍ରାନ୍ତିରେ ସେବାୟତ ମାନେ ଦିଅଁଙ୍କୁ ଉପବାସ ରଖିଥିଲେ। ଅଗଣିତ ଶ୍ରଦ୍ଧାଳୁ ଦିଅଁଙ୍କ ପ୍ରତି ହେଉଥିବା ଏଭଳି ଅବ୍ୟବସ୍ଥା ନେଇ ବ୍ୟଥିତ ହେବା ସହ ପ୍ରଶାସନର ପାରିଲାପଣିଆ ନେଇ ପ୍ରଶ୍ନ ଉଠାଇଥିଲେ। ଶେଷରେ ଟ୍ରଷ୍ଟବୋର୍ଡ ସଭାପତି ତଥା ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରାଣାଙ୍କ ହସ୍ତକ୍ଷେପ ପରେ ଅଚଳାବସ୍ଥା ଦୂର ହୋଇଛି । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବୁଧବାର ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଘଟଣାରେ ହସ୍ତକ୍ଷେପ କରି ନୀତିକାନ୍ତି ସ୍ବାଭାବିକ କରିବାକୁ ଉଚ୍ଚସ୍ତରୀୟ ବୈଠକ କରି ଜିଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ, ଦେବୋତ୍ତର ଆୟୁକ୍ତ ଲଲାଟେନ୍ଦୁ ଜେନା, ସହକାରୀ ଦେବୋତ୍ତର ଆୟୁକ୍ତ ଶିଶିର କୁମାର ସାହୁ, ଆଇନ ବିଭାଗର ପ୍ରମୁଖ ସଚିବ ମାନସ ରଞ୍ଜନ ବାରିକ, ଅତିରିକ୍ତ ଆଇନ ସଚିବ, ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ରନାରାୟଣ ମହାନ୍ତି, ଜୋନ୍ ଏସିପି କୃଷ୍ଣଚନ୍ଦ୍ର ପଲାଇ ଓ ତିନି ନିଯୋଗର ସଭାପତି ଓ ସମ୍ପାଦକଙ୍କୁ ଡକାଯାଇଥିଲା। ତେବେ ବୈଠକରେ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ସେବାୟତ ଯୋଗ ଦେଇ ନ ଥିଲେ। ମନ୍ତ୍ରୀଙ୍କ ନିର୍ଦେଶ ପରେ ଜିଲାପାଳ ଟ୍ରଷ୍ଟବୋର୍ଡ ବୈଠକ ଡାକିଥିଲେ। ସର୍କିଟ ହାଉସରେ ବୈଠକ ବସିଥିଲା। ବୈଠକରେ ଟ୍ରଷ୍ଟବୋର୍ଡ ସଦସ୍ୟ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି, ବଡୁନିଯୋଗ ସଭାପତି ଅଞ୍ଚଳ ବଡୁ ଓ ପୂଜାପଣ୍ଡା ନିଯୋଗ ସଭାପତି ପ୍ରସନ୍ନ ପୂଜାପଣ୍ଡା, ଆଇନଜୀବୀ ମାନସ ମହାପାତ୍ର, ଏସିପି ଶ୍ରୀ ପଲାଇ, ଭୁବନେଶ୍ବର ତହସିଲଦାର ମୃତ୍ୟୁଞ୍ଜୟ ମହାପାତ୍ର, ବିଏମ୍ସି ଅତିରିକ୍ତ ଆୟୁକ୍ତ ଶୁଭେନ୍ଦୁ ସାହୁ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ରୁଦ୍ରନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସହକାରୀ ଦେବୋତ୍ତର ଆୟୁକ୍ତ ଶ୍ରୀ ସାହୁ ବୈଠକରେ ଉପସ୍ଥିତ ରହି ଦିଅଁଙ୍କ ନୀତିକାନ୍ତି କିପରି ସ୍ବାଭାବିକ ହୋଇପାରିବ ସେ ଦିଗରେ ଟ୍ରଷ୍ଟବୋର୍ଡକୁ ପରାମର୍ଶ ଦେଇଥିଲେ।