ବିଭିନ୍ନ ଶିଳ୍ପାଞ୍ଚଳରେ ମହାସମାରୋହରେ ପାଳିତ ହେଉଛି ବିଶ୍ବ ବ୍ରହ୍ମାଣ୍ଡରନିର୍ମାଣକର୍ତ୍ତା ବିଶ୍ବକର୍ମାଙ୍କ ପୂଜା

ସମ୍ଭବତଃ ୩.୩ ମିଲିଅନ ବର୍ଷ ପୂର୍ବେ ମଣିଷ ପ୍ରଥମେ ନିଜର ଜୀବନ ଧାରଣ ପାଇଁ ପ୍ରଥମେ ଯନ୍ତ୍ରର ନିର୍ମାଣ ଓ ବ୍ୟବହାର ଶିଖିଲା। କାଠ, ପଥରରୁ ତିଆରି ହତିଆର ବିଶେଷତଃ ତା’ର ଖାଦ୍ୟ ଓ ପୋଷଣ ପାଇଁ ବ୍ୟବହୃତ ହେଉଥିଲା। ସେହି ସମୟରୁ ଅଦ୍ୟାବଧି ମଣିଷ ତା’ର କୌଶଳ ଓ ବୁଦ୍ଧିମତା ଉପଯୋଗ କରି ସଭ୍ୟତାର ଉତ୍କର୍ଷ ସାଧନ କରି ଆସୁଛି। କିନ୍ତୁ ମଣିଷର ବିଶ୍ୱାସ ଯେ ଏସବୁ ନିର୍ମାଣର କର୍ତ୍ତା ସେ ନୁହେଁ, ଅନ୍ୟ କେହି ଅଦୃଶ୍ୟ ଶକ୍ତି। ସେଥିପାଇଁ ବୋଧହୁଏ, ଆମ ସନାତନ ସଂସ୍କୃତିରେ ସେହି ଶକ୍ତିର ଆରାଧନା ପାଇଁ ବିଶ୍ବକର୍ମା ପୂଜାର ପରିକଳ୍ପନା କରାଯାଇଛି। ବିଶକର୍ମାର ଆଭିଧାନିକ ଅର୍ଥ ହେଉଛି ବିଶ ବ୍ରହ୍ମାଣ୍ଡରନିର୍ମାଣକର୍ତ୍ତା। ଆଜିର ଅତ୍ୟାଧୁନିକ ଯୁଗରେ ଯେତେବେଳେ ପ୍ରଯୁକ୍ତି ବିଦ୍ୟା ଅତି ଦ୍ରୁତ ଗତିରେ ବିକାଶ ଲାଭ କରୁଛି, ବିଶ୍ୱକର୍ମା ପୂଜାର ଗୁରୁତ୍ୱ ତଥା ମାନବ-ଯନ୍ତ୍ର ସମନ୍ବୟର ମହତ୍ତ୍ୱ ଆହୁରି ବଢ଼ିଯାଇଛି। କାରଣ, ଏହା ମାନବୀୟ କୌଶଳ ଓ ଯନ୍ତ୍ରଶକ୍ତିର ଏକାୟନର ଏକ ପ୍ରତୀକ ପାଲଟିଛି ଏବଂ ସଭ୍ୟତାର ବିକାଶ ସମ୍ଭବ ହୋଇପାରିଛି। ବିଶକର୍ମା ପୂଜା ଏମିତି ଏକ ଅବକାଶ ଯାହା ନିଜର କର୍ମଶକ୍ତିର ପରିମାର୍ଜନ, କଳାକୌଶଳର ସମୃଦ୍ଧି ତଥା ଗୁଣାତ୍ମକ କାର୍ଯ୍ୟଶୈଳୀର ଉନ୍ନତିକରଣ ସମ୍ପର୍କରେ ଚିନ୍ତା କରିବା ପାଇଁ ସୁଯୋଗ ସୃଷ୍ଟି କରେ। ଦେବଶିଳ୍ପୀଙ୍କ ପୂଜା କେବଳ ପରମ୍ପରାରେ ସୀମିତ ନୁହେଁ, ଏହା ମଣିଷର ସର୍ଜନଶୀଳ ପ୍ରବୃତ୍ତିର ପ୍ରତୀକ। ଜଳବାୟୁ ପରିବର୍ତ୍ତନର ଯୁଗରେ, ଏହା ନିରନ୍ତର ଧାରଣୀୟତାର ବାର୍ତ୍ତା ଦେଉଛି ସୃଷ୍ଟି କର, କିନ୍ତୁ ପ୍ରକୃତିର କ୍ଷତି କରନହିଁ।

Leave a comment