ଆଜି ଶ୍ରାବଣ ମାସର ଶେଷ ସୋମବାର

ଭୁବନେଶ୍ଵର: ଆଜି ଶ୍ରାବଣ ମାସର ଶେଷ ସୋମବାର। ଏଥିଲାଗି ରାଜ୍ୟର ସମସ୍ତ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳୁଛି। ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଭୋର ସମୟରୁ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଦୂର ଦୂରାନ୍ତରୁ ପାଣି ଆଣି ଆସୁଥିବା କାଉଡିଆ ତଥା ଶିବ ଭକ୍ତଙ୍କ ଲମ୍ୱାଧାଡି ବିଭିନ୍ନ ଶୈବପୀଠକୁ ଲମ୍ୱିଛି । ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିଛନ୍ତି। ରାଜଧାନୀରେ ଲିଙ୍ଗରାଜ ମନ୍ଦିରରେ ଜଳଲାଗି କରୁଛନ୍ତି ଭକ୍ତ। ସେପଟେ ପୁରୀର ଲୋକନାଥ ମନ୍ଦିର ଓ ନୟାଗଡ଼ର ଲଡ଼ୁବାବାରେ ମଧ୍ୟ କାଉଡିଆଙ୍କ ଗହଳି ପରିଲକ୍ଷିତ ହୋଇଛି।

କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠରେ କାଉଡିଆଙ୍କ ଭିଡ ଜମିଛି। କଂକ୍ରିଟ ପୋଲ ଉପରେ ଆସି ଧବଳେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳଲାଗି କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ପୂଜକ ସମିତି ପକ୍ଷରୁ ଭୋର୍ ୪ଟା ରେ ପହଡ ଖୋଲାଯାଇ ୧୦୮ କଳସ ଜଳରେ ବାବାଙ୍କୁ ସ୍ନାନ କରାଯାଇ ମଙ୍ଗଳା ଆଳତୀ ସହିତ ସମସ୍ତ ନିତିକାନ୍ତି ସମାପନ କରାଯାଇଥିଲା ପରେ ଶ୍ରଦ୍ଧାଳୁମାନଙ୍କୁ ଜଳଲାଗି କରିବା ପାଇଁ ସୁଯୋଗ ଦିଆଯାଇଥିଲା।

କାଉଡିଆଭକ୍ତ ମାନଙ୍କ ବୋଲ ବମ, ହରହର ବମ ଧ୍ବନିରେ ପ୍ରକମ୍ଫିତ ହେଉଛି ସମଗ୍ର ପୀଠ। ତାହାସହ କାଉଡିଆ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି ଜଳପଥରେ ଆସୁଥିବା କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ୩ଟି ନଦୀଘାଟର ଉଭୟ ପାର୍ଶ୍ବରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କୁ ନିୟୋଜିତ କରାଯାଇଛି।