ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଆଜି ପଞ୍ଚମ ଦିନ,ମାଆଙ୍କ ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ଧର୍ମଝଣ୍ଡା ସ୍ଥାପନ
ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଆଜି ପଞ୍ଚମ ଦିନ । ପରମ୍ପରା ଅନୁଯାୟୀ ଆଜି ମାଆଙ୍କ ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ଧର୍ମଝଣ୍ଡା ସ୍ଥାପନ ହୋଇଛି । ଯାତ୍ରାର ତୃତୀୟ ଦିନ ସନ୍ଧ୍ୟାରୁ ମାଆ ସହର ପରିକ୍ରମା ଆରମ୍ଭ କରିଛନ୍ତି । ପରିକ୍ରମାରେ ବାହାରି ମାଆ ପ୍ରଥମେ ମହୁରୀ ଗଡ଼ ରାଜାଙ୍କ ରାଜବାଟୀରେ ପୂଜା ପାଇବା ପରମ୍ପରା ଅଛି ।
ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢ଼ୀ ଠାକୁରାଣୀଙ୍କ ପ୍ରସିଦ୍ଧ ଦ୍ଵିବାର୍ଷିକ ଯାତ୍ରା ଆଜି ପଞ୍ଚମ ଦିନରେ ପହଞ୍ଚିଛି । ପରମ୍ପରା ଅନୁଯାୟୀ ଆଜି ମାଆଙ୍କ ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ସ୍ଥାପନ ହୋଇଛି ଧର୍ମଝଣ୍ଡା । ଯାତ୍ରାର ତୃତୀୟ ସନ୍ଧ୍ୟାରେ ମାଆ ଚାଙ୍ଗୁଡ଼ିରୁ ଘଟକୁ ଆସିବା ପରେ ଆରମ୍ଭ ହୋଇଛି ସହର ପରିକ୍ରମା । ପରିକ୍ରମା ସମୟରେ ମାଆ ପ୍ରଥମେ ମହୁରୀଗଡ଼ ରାଜବାଟୀକୁ ଯାଆନ୍ତି । ମୁଖ୍ୟଘଟ ସହ ୮ଟି ପାର୍ଶ୍ଵଘଟ ଦେଶୀବେହେରା ସାହି ସମେତ ବଡ଼ ବଜାର ଅଞ୍ଚଳ ଭ୍ରମଣ କରି ପୁଣି ଅସ୍ଥାୟୀ ମଣ୍ଡପକୁ ବିଜେ କରିଥିଲେ ମାଆ ।
ଅସ୍ଥାୟୀ ମଣ୍ଡପରେ ମାଆଙ୍କ ଦର୍ଶନ କରି ଆଶିଷ ଭିକ୍ଷା ଲାଗି ସହର ସମେତ ବାହାରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ମାନସିକଧାରୀମାନେ ବିଭିନ୍ନ ବେଶରେ ଆସି ମାଆଙ୍କ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରୁଛନ୍ତି । ଭିଡ଼ ନିୟନ୍ତ୍ରଣ ଲାଗି ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରତି ସନ୍ଧ୍ୟାରେ ମାଆ ମହୁରୀଗଡ଼ ରାଜବାଟୀକୁ ଯାଇ ରାଜାଙ୍କ ଦ୍ୱାରା ପୂଜା ପାଇବା ପରେ ପୁରୁଣା ବ୍ରହ୍ମପୁର ଅଞ୍ଚଳର ବିଭିନ୍ନ ସାହି ବୁଲିବେ ।