ଆଜି ଆଲୋକର ପର୍ବ ଦୀପାବଳି, ଟୁଇନ ସିଟିରେ ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି
ଉପରବେଳା ଚାଲିବନି ଆମ ବସ୍
ଆଜି ଆଲୋକର ପର୍ବ ଦୀପାବଳି । ଘରେ ଘରେ ଖୁସିର ମାହୋଲ। ପୁଣି ଆଜି ଦୀପାବଳି ପାଳନ ହେବା ସହ ପୟାଶ୍ରାଦ୍ଧ ପାଳନ ହେଉଛି । ବଡ଼ବଡୁଆ ଡାକରେ ଏବେ କମ୍ପୁଛି ପୁରୀ ବଡ଼ଦାଣ୍ଡ । ଏଥିପାଇଁ ପୁରୀରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଶ୍ରୀକ୍ଷେତ୍ରରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକୁଛନ୍ତି ଶ୍ରଦ୍ଧାଳୁ । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଭାବେ ବଡ଼ବଡୁଆ ଡାକିବା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦାୟିତ୍ବରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୪ ଜଣ ଅତିରିକ୍ତ ଏସପି, ୧୫ ଡିଏସପି, ୧୪ ଜଣ ଇନ୍ସପେକ୍ଟର ମୁତୟନ ରହିଛନ୍ତି । ସିଂହଦ୍ଵାର ନିକଟରେ ପ୍ରଶାସନ ପକ୍ଷରୁ ତିଆରି ହୋଇଥିବା ୪ଟି ସ୍ଥାନରେ କାଉଁରିଆ କାଠି ଜାଳି ବଡ଼ବଡୁଆଙ୍କୁ ବିଦାୟ ଜଣାଉଛନ୍ତି ଶ୍ରଦ୍ଧାଳୁ ।
ଶ୍ରୀମନ୍ଦିର ଚାରିପଟେ ପୟା ଶ୍ରାଦ୍ଧ ଦେଇ ବଡ଼ବଡୁଆଙ୍କୁ ଅନ୍ଧାରରେ ଆସି ଆଲୋକରେ ବିଦାୟ ଦେଉଛନ୍ତି । ଦୀପାବଳି ନେଇ ଚଳିତ ବର୍ଷ ଦ୍ବନ୍ଦ୍ବ ଥିବାରୁ ୨୦ ଓ ୨୧ ତାରିଖ ଦୁଇଦିନ ପାଇଁ କରାଯାଇଛି ବ୍ୟବସ୍ଥା । ଭୋର ୪ଟା ରୁ ରାତି୧୦ ଟା ଯାଏଁ ଲାଗୁ ରହିଛି ଟ୍ରାଫିକ କଟକଣା । ମାର୍କେଟ ଛକ ଠାରୁ ସିଂହଦ୍ବାର ଯାଏ ନୋ ଭେହିକିଲ ଜୋନ୍ କରାଯାଇଛି ।
ଟୁଇନ ସିଟିରେ ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି । ରାତି ୭ଟାରୁ ୯ ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦେଇଛି ପ୍ରଶାସନ। ଆଜି ହେଉଛି କାର୍ତିକ ମାସ ଅମାବାସ୍ୟା ତିଥି । ହିନ୍ଦୁ ପରମ୍ପରାରେ ରହିଛି ଅନେକ ବିଶେଷ ବିଧି । ଆଜିର ତିଥିରେ ପିତୃପୁରୁଷଙ୍କୁ ଆଲୋକ ଦେଖାଇ ତାଙ୍କର ଆର୍ଶିର୍ବାଦ ନେବାର ପରମ୍ପରା ରହିଛି । ଆଜି ସେହି ଉଦ୍ଦେଶ୍ୟରେ କରାଯାଉଛି ପୟା ଶ୍ରାଦ୍ଧ । ଆଉ ଆଜି ମଧ୍ୟ ପିତୃଲୋକଙ୍କ ଉଦ୍ଧେଶ୍ୟରେ ବଡବଡିଆ ଡାକିବାର ପରମ୍ପରା ରହିଛି। ଯେଉଁମାନେ ବର୍ଷକ ଯାକ ନିଜ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିପାରିନଥାନ୍ତି ସେମାନେ ଆଜିର ଦିନରେ ଶ୍ରୀ ମନ୍ଦିର ନିକଟରେ ପିଣ୍ଡ ଦାନ କରି ପିତୃଲୋକଙ୍କ ଉଦ୍ଧେଶ୍ୟରେ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ ଜାଳି ବଡବଡିଆ ଡାକିଥାନ୍ତି । ସେପଟେ ଉପରବେଳା ଆମ ବସ ଚାଲିବନି ବୋଲି ଜଣାପଡ଼ିଛି ।
ଆଉ ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠିରେ ଅଗ୍ନି ସଂଯେଗ କରି ପିତୃପୁରୁଷଙ୍କ ଆଲୋକ ଦେଖାଇ ବିଦାୟ ଦେଇଥାନ୍ତି । ଏହି ପରମ୍ପରାକୁ ପାଳନ କରିବା ପାଇଁ ଶ୍ରୀକ୍ଷେତ୍ରରେ ବେଶ ଭିଡ ଜମିଛି ଶ୍ରଦ୍ଧାଳୁଙ୍କର । ଏ ନେଇ ଶ୍ରୀମନ୍ଦିରରେ ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବା ସହ ଦର୍ଶନ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନ କୁ ନଜରରେ ରଖି ଆଜି ଓ ଆସନ୍ତକାଲି ଦୁଇଦିନ ପାଇଁ ହୋଇଛି ସ୍ବତନ୍ତ୍ର ପୋଲିସ ଆରେଞ୍ଜମେଣ୍ଟ୍। ପ୍ରଶାସନିକ ସୁରକ୍ଷା ଭିତରେ ସିଂହଦ୍ୱାରର ର ଏମାର ମଠ ଚକଡ଼ା ରେ ୪ଟି ବକ୍ସ ର ବ୍ୟବସ୍ଥା କରାଯାଇଛି। ତାରି ଭିତରେ ଆଲୋକ ବର୍ତ୍ତିକା ଜାଳି ବଡ଼ବଡୁଆ ଡାକିବା ପାଇଁ କରାଯାଇଛି ବ୍ୟବସ୍ଥା ।