ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ବକୁଳ ବନରୁ ଗଲା ବଉଲ କାଠ
ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ବାହୁଟ ଲାଗି ଶ୍ରୀକ୍ଷେତ୍ର ଯାଇଛି ବଉଳକାଠ । ସତ୍ୟବାଦୀର ବକୁଳବନ ସ୍ଥିତ ସତ୍ୟବାଦୀ ବାଳିକା ଉଚ୍ଚବିଦ୍ୟାଳୟର ପରିସରରେ ଥିବା ବଉଳ ଗଛକୁ କଟାଯାଇ ଶଗଡ଼ରେ ମେଲାଣି ଦିଆଯାଇଛି । ଭୋଇ ସେବାୟତ ହିଁ କୁରାଢି ସାହାଯ୍ୟରେ ବୃକ୍ଷ ଚ୍ଛେଦନ କରିଛନ୍ତି । ଚିହ୍ନଟ ବଉଳ ଗଛକୁ ତିନି ଖଣ୍ଡ କରି ତିନି ଠାକୁରଙ୍କ ଉଦ୍ଦେଶ୍ୟରେ ପୁରୀ ରଥ ଖଳାକୁ ନିଆଯାଇଛି । ବୃକ୍ଷ ଛେଦନ ସମୟରେ ପୁରା ବକୁଳବନ ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହୋଇଉଠିଥିଲା ।
ସେନାପଟା ବାହୁଟ ଲାଗି ପୂର୍ବରୁ ସେବକମାନେ ଆସି ବଉଳ ଗଛ ଚିହ୍ନଟ କରିଥାନ୍ତି । ଆଉ ପବିତ୍ର ନିର୍ଜଳା ଏକାଦଶୀରେ ଗଛ କାଟିବାର ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି । ସାକ୍ଷୀଗୋପିନାଥ ଓ ଶିଦ୍ଧ ବଳରାମ ମନ୍ଦିରରୁ ଆଜ୍ଞା ମାଳ ନେଇ ଶଗଡ଼ିରେ ବକୁଳ ବନରେ ପହଞ୍ଚିଥିଲେ ଶ୍ରୀମନ୍ଦିର ପ୍ରଶାସକ ଓ ଭୋଇ ସେବାୟତ । ପରେ ପୂଜାର୍ଚ୍ଚନା ସହ ବୃକ୍ଷ ଛେଦନ କରାଯାଏ ।
ବିଶ୍ବବ୍ରହ୍ମାଣ୍ଡକୁ ସୁରକ୍ଷା ଦେଉଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁରକ୍ଷା ଯୋଗାଉଛି ବକୁଳବନର ବଉଳ କାଠ ।