ଚିତଉ ଅମାବାସ୍ୟାରେ ମହାପ୍ରଭୁଙ୍କ ମଥାରେ ଲାଗି ହେଲା ମୂଲ୍ୟବାନ ଚିତା
ଚିତଉ ଅମାବାସ୍ୟାରେ ମହାପ୍ରଭୁଙ୍କ ମଥାରେ ଲାଗି ହୋଇଛି ମୂଲ୍ୟବାନ ଚିତା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହୀରା, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କୁ ମାଣିକ୍ୟ (ପନ୍ନା)ର ସୁବର୍ଣ୍ଣଯୁକ୍ତ ଚିତା ଲାଗି କରାଯାଇଛି। ଏଥିସହ ମହାପ୍ରଭୁଙ୍କୁ ପ୍ରସାଦରେ ଲାଗି ହୋଇଛି ଚିତଉ ପିଠା। ସ୍ନାନ ପୂର୍ଣ୍ଣିମାରେ ସ୍ନାନ ପରେ ଶ୍ରୀବିଗ୍ରହଙ୍କ ଅଣସର ସେବା ସମୟରେ ଦଇତାପତି ସେବକ ତିନି ଠାକୁରଙ୍କ ମଥାରେ ଲାଗିଥିବା ଚିତା ଓଲାଗି କରି ଭଣ୍ଡାର ମେକାପଙ୍କୁ ଦେଇଥିଲେ। ରଥାରୂଢ଼ ହେବା ପରେ ଶ୍ରୀବିଗ୍ରହଙ୍କ ମଥାରେ ସୋଲ ଚିତା ଲାଗି ହୋଇଥିଲା। ଆଜି ସୋଲ ଚିତା ଓଲାଗି ପରେ ସୁବର୍ଣ୍ଣ ଚିତା ଲାଗି କରାଯାଇଛି।
ଅମାବାସ୍ୟା ଅବସରରେ ଅମାବାସ୍ୟା ଠାକୁର ପ୍ରଭୁ ନାରାୟଣ ଶ୍ରୀମନ୍ଦିରରୁ ପାଲିଙ୍କିରେ ବିଜେ କରି ମହୋଦଧି ଗମନ କରିଥିଲେ। ସାଢ଼େ ୨ଟାରେ ସମୁଦ୍ରରେ ସ୍ନାନ ସାରି ପାଲିଙ୍କିରେ ଅମାବାସ୍ୟା ଦିଅଁ ବାହୁଡ଼ା ବିଜେ କରିଥିଲେ। ଲକ୍ଷ୍ମୀ, ସରସ୍ବତୀ ଗୁରୁବାର ମାଜଣା ମଣ୍ଡପକୁ ବିଜେ କରିଥିଲେ। ଆଜି ଭୋଗମଣ୍ଡପ ନୀତି ପରେ ଚିତାଲାଗି ନୀତି ଆରମ୍ଭ ହୋଇଥିଲା। ଦଇତାପତି ସେବକମାନେ ଦିନ ୩ଟାରେ ଚିତାଲାଗି ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ମହାପ୍ରଭୁଙ୍କ ମଥାରେ ଚିତାଲାଗି ପୂର୍ବରୁ ବଣିଆମାନେ ନାଭିକଟା ମଣ୍ଡପରେ ଚିତାକୁ ମାର୍ଜନା କରିଥିଲେ। ଶ୍ରୀମନ୍ଦିର ରୋଷଘର ନିଆଁରେ ସଫା କରାଯାଇଥିଲା। ପତିମହାପାତ୍ର ସଂସ୍କାରପୂର୍ବକ ଦଇତାପତି ସେବକଙ୍କୁ ହସ୍ତାନ୍ତର କରିଥିଲେ। ଓଷ ଲାଗି ହେବା ପରେ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ପାନପତ୍ର ଆକାରର ହୀରା, ସୁନା ସହ ଅନ୍ୟ ଧାତୁରେ ପ୍ରସ୍ତୁତ ୧୨୫ ଭରିର ସୁବର୍ଣ୍ଣ ଚିତା ଲାଗି କରାଯାଇଥିଲା। ଶ୍ରୀବଳଭଦ୍ରଙ୍କୁ ଆଖି ଆକୃତି ତଥା ଅର୍ଦ୍ଧବୃତ୍ତାକାର ୭୫ ଭରିର ଚିତା ଲାଗି କରାଯାଇଥିବାବେଳେ ଦେବୀ ସୁଭଦ୍ରାଙ୍କୁ ୩୩ ଭରି ଠିକିରି ଆକୃତିର ଚିତା ଲାଗି କରାଯାଇଥିଲା।