ଆଜି ପୌଷପୁର୍ଣ୍ଣିମା, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଦେବାଭିଷେକ ନୀତି

ଆଜି ପୌଷପୁର୍ଣ୍ଣିମା ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଦେବାଭିଷେକ ନୀତି । ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇ ରାଜ ରାଜେଶ୍ବର ବେଶରେ ଦର୍ଶନ ଦେବେ ଚତୂର୍ଦ୍ଧାମୂର୍ତ୍ତି। ଗୋଟିଏ ଦିନରେ ମହାପ୍ରଭୁଙ୍କର ୩୯ଟି ନୀତି ରହିଥିବାରୁ ବିଭିନ୍ନ ସେବାୟତ ନିଯୋଗ ସହ ସମନ୍ୱୟ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଶ୍ରୀମନ୍ଦିରରେ ଦ୍ୱାଦଶ ଯାତ୍ରା ମଧ୍ୟରୁ ପୌଷପୁର୍ଣ୍ଣିମା ଅନ୍ୟତମ। ପୌରାଣିକ ତଥ୍ୟ ଆଧାରରେ ଆଜିର ଦିନରେ ଶ୍ରୀରାମଚନ୍ଦ୍ର ଅଯୋଧ୍ୟାର ରାଜା ହୋଇଥିବା ବେଳେ ତାଙ୍କର ଅଭିଷେକ କରାଯାଇଥିଲା

ବର୍ଷକୁ ଶ୍ରୀଜିଉଙ୍କର ଅନୁଷ୍ଠିତ ହେଉଥିବା ୫ଟି ସୁନାବେଶ ମଧ୍ୟରୁ ପୌଷପୂର୍ଣ୍ଣିମାର ସୁନା ବେଶ ଅନ୍ୟତମ। ସକାଳୁ ଦ୍ୱାରଫିଟା , ମଙ୍ଗଳଆଳତୀ , ଅବକାଶ ନୀତି ଶେଷ ହେବା ପରେ ଭଣ୍ଡାର ମେକାପ ତିନିଟି ରୂପାବଟାରେ ଚନ୍ଦନ ଆଣି ଚତୁର୍ଧାମୂର୍ତ୍ତିଙ୍କୁ ଲାଗି କରିଥାନ୍ତି । ଏହି ନୀତି ସମ୍ପାଦନ ପରେ ଶ୍ରୀଜିଉଙ୍କୁ ୩୨ପ୍ରକାର ମୂର୍ତି ଅଳଙ୍କାର ଆଭୂଷଣ ଲଗାଯାଇ ରାଜାରାଜେଶ୍ବର ବେଶ କରାଯାଏ । ପୌଷପୂର୍ଣ୍ଣିମା ଅବସରରେ ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ ଦର୍ଶନ କରିବା ଲାଗି ସକାଳୁ ସକାଳୁ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ପ୍ରବଳ ଜନସମାଗମ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପୁଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।

Leave a comment