ନବରାତ୍ରିର ଷଷ୍ଠ ଦିନ, ମା’ କାତ୍ୟାୟନୀଙ୍କ କରାଯାଏ ଉପାସନା

ନବରାତ୍ରିର ଷଷ୍ଠ ଦିନରେ ମା’ କାତ୍ୟାୟନୀଙ୍କୁ ପୂଜା କରାଯାଏ । ତାଙ୍କର ପୂଜା ଓ ଆରାଧନା ଦ୍ୱାରା ଭକ୍ତମାନେ ଅର୍ଥ, ଧର୍ମ, କାମ ଓ ମୋକ୍ଷ ଏହି ଚାରୋଟି ଫଳ ଅତି ସହଜରେ ପ୍ରାପ୍ତ କରିଥା’ନ୍ତି । ମା’ଙ୍କ ଆରାଧନା କଲେ ରୋଗ ,ଶୋକ, ସନ୍ତାପ ଓ ଭୟ ନଷ୍ଟ ହୋଇଯାଏ । ଜନ୍ମ ଜନ୍ମାନ୍ତରର ସମସ୍ତ ପାପ ମଧ୍ୟ ନଷ୍ଟ ହୋଇଯାଏ ।

ପୌରାଣିକ କଥା ଅନୁଯାୟୀ, ଥରେ ମହର୍ଷି କାତ୍ୟାୟନ ସନ୍ତାନ ପ୍ରାପ୍ତି ପାଇଁ ଦେବୀ ଭଗବତୀଙ୍କ କଠୋର ତପସ୍ୟା କରିଥିଲେ । ମହର୍ଷିଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ମା’ ଭଗବତୀ ତାଙ୍କୁ ସାକ୍ଷାତ ଦର୍ଶନ ଦେଇଥିଲେ ଏବଂ ତାଙ୍କୁ ବରଦାନ ଦେଇଥିଲେ ଯେ ସେ ତାଙ୍କ ଘରେ ତାଙ୍କ ଝିଅ ରୂପେ ଜନ୍ମ ନେବେ । ଥରେ ମହିଷାସୁର ନାମକ ଏକ ରାକ୍ଷସର ଅତ୍ୟାଚାର ବହୁତ ବଢ଼ିଯାଇଥିଲା, ଯାହାଦ୍ୱାରା ଚାରିଆଡ଼େ ହାହାକାରର ପରିସ୍ଥିତି ସୃଷ୍ଟି ହୋଇଥିଲା । ସେତେବେଳେ ତ୍ରିଦେବ (ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବର)ଙ୍କ ତେଜରୁ ଦେବୀ ଜନ୍ମ ନେଇଥିଲେ, ଯିଏ ମହର୍ଷି କାତ୍ୟାୟନଙ୍କ ଘରେ ଜନ୍ମଗ୍ରହଣ କରିଥିଲେ, ଯେଉଁ କାରଣରୁ ତାଙ୍କ ନାମ କାତ୍ୟାୟନୀ ପଡ଼ିଲା । ମା’ ରାଣୀଙ୍କ ଘରେ ଝିଅ ରୂପେ ଜନ୍ମ ନେବା ପରେ ଋଷି କାତ୍ୟାୟନ ସପ୍ତମୀ, ଅଷ୍ଟମୀ ଏବଂ ନବମୀ ତିଥିରେ ମା’ କାତ୍ୟାୟନୀଙ୍କ ବିଧି-ବିଧାନରେ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ମା’ କାତ୍ୟାୟନୀ ଦଶମୀ ତିଥିରେ ମହିଷାସୁରର ବଧ କରିଥିଲେ, ତେଣୁ ତାଙ୍କୁ ମହିଷାସୁର ମର୍ଦ୍ଦିନୀ ନାମରେ ମଧ୍ୟ ଜଣାଗଲା ।

ଭଗବାନ କୃଷ୍ଣଙ୍କୁ ସ୍ବାମୀ ରୂପରେ ପାଇବା ପାଇଁ ବ୍ରଜର ଗୋପୀମାନେ ଏହି ଦେବୀଙ୍କୁ ପୂଜା କରିଥିଲେ । ଏହି ପୂଜା କାଳିନ୍ଦୀ ଯମୁନାର ତଟରେ କରାଯାଇଥିଲା । ସେଥିପାଇଁ ସେ ବ୍ରଜମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ରୂପେ ପ୍ରତିଷ୍ଠିତ ଅଛନ୍ତି । ତାଙ୍କର ସ୍ୱରୂପ ଅତ୍ୟନ୍ତ ଭବ୍ୟ ଓ ଦିବ୍ୟ ଅଟେ । ସୁବର୍ଣ୍ଣ ପରି ଉଜ୍ଜ୍ୱଳ ଓ ଭାସ୍ୱର ଅଟନ୍ତି ମା’ । ଦେବୀ ଚତୁର୍ଭୁଜାଙ୍କର ଡାହାଣ ପଟର ଉପର ହାତ ଅଭୟମୁଦ୍ରାରେ ଏବଂ ତଳ ହାତ ବରମୁଦ୍ରାରେ ଅଛି । ମା’ଙ୍କ ବାମ ପଟର ଉପର ହାତରେ ଖଣ୍ଡା ଓ ତଳ ହାତରେ କମଳ ଫୁଲ ଶୋଭା ପାଉଛି । ମା’ଙ୍କର ବାହନ ସିଂହ,ତାଙ୍କର ଉପାସନା ଓ ଆରାଧନା ଦ୍ୱାରା ଭକ୍ତମାନେ ଅତି ସହଜରେ ଅର୍ଥ, ଧର୍ମ, କାମ ଓ ମୋକ୍ଷ ଏହି ଚାରୋଟି ଫଳ ପ୍ରାପ୍ତ କରିଥା’ନ୍ତି । ସେଥିପାଇଁ କୁହାଯାଏ ଯେ ଏହି ଦେବୀଙ୍କର ଉପାସନା କରିବା ଦ୍ୱାରା ପରମ ପଦର ପ୍ରାପ୍ତି ହୁଏ।

Leave a comment