ଧରାବତରଣ କଲେ ଯୀଶୁ

ଭୁବନେଶ୍ବର: ମଧ୍ୟରାତ୍ରରେ ପ୍ରଭୁ ଯୀଶୁ ଧରାବତରଣ କଲେ। ଏହାପରେ ଖେଳିଗଲା ଖୁସିର ମାହୋଲ। ଅନ୍ତୁଡ଼ିଶାଳରେ ନବଜାତ ଯୀଶୁଙ୍କ ପଦାର୍ପଣ ପରେ ଚଳଚଞ୍ଚଳ ହୋଇଉଠିଲା ସମଗ୍ର ଚର୍ଚ୍ଚ ପରିବେଶ। ପ୍ରଭୁଙ୍କ ଦିବ୍ୟଦର୍ଶନ କରିବା ସହ ଶ୍ରଦ୍ଧାଳୁମାନେ ଖୁସିରେ ପରସ୍ପରକୁ ଆଲିଙ୍ଗନ କରି ଜଣାଇଲେ ‘ମେରି ଖ୍ରୀଷ୍ଟ୍‌ମାସ’। ବଡ଼ଦିନର ଶୁଭେଚ୍ଛା ବାର୍ତ୍ତା କୋଳାହଳରେ କମ୍ପିଉଠିଲା ଚର୍ଚ୍ଚ ପରିସର। କେବଳ ଚର୍ଚ୍ଚ ନୁହେଁ, ପ୍ରତି ଘରେ ବଡ଼ଦିନ ପାଳିତ ହେବା ସହ କେକ୍ କଟାଯାଇଥିଲା। ରାତି ପ୍ରାୟ ୩ଟା ପର୍ଯ୍ୟନ୍ତ ସମସ୍ତେ ଖୁସି ମନାଇଥିଲେ। ପ୍ରଭୁ ଯୀଶୁଙ୍କୁ ସ୍ବାଗତ କରିବା ପାଇଁ  ବିଭିନ୍ନ ଚର୍ଚ୍ଚରେ ବ୍ୟାପକ ପ୍ରସ୍ତୁତି ଚାଲିଥିଲା। ବେଶ୍ ସୁନ୍ଦର ଭାବେ ସାଜସଜ୍ଜା କରାଯାଇଥିଲା। ରଙ୍ଗିନ ଆଲୋକମାଳାରେ ଚର୍ଚ୍ଚ ସବୁ ଝଲମଲ କରୁଥିଲା। ସଂଧ୍ୟାରୁ ଚର୍ଚ୍ଚମାନଙ୍କରେ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରଭୁଙ୍କ ଧରାବତରଣ ସ୍ବଚକ୍ଷୁରେ ଦେଖିବା ପାଇଁ ଶ୍ରଦ୍ଧାଳୁମାନେ ପହଞ୍ଚିଥିଲେ। ଚର୍ଚ୍ଚ ସମ୍ମୁଖସ୍ଥ ଦୋକାନଗୁଡ଼ିକରୁ ମହମବତି ଓ ଗୋଲାପ ଫୁଲ କିଣି ସତ୍ୟନଗର କ୍ୟାଥ୍‌ଲିକ୍‌ ଚର୍ଚ୍ଚରେ ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ କାରୋଲ୍‌ ଗାନ କରାଯାଇଥିବା ବେଳେ ୧୧ଟାରୁ ଦିବ୍ୟ ଯଜ୍ଞ ତଥା ବାଇବେଲ୍‌ ପାଠ କରାଯାଇଥିଲା। ଶ୍ରଦ୍ଧାଳୁମାନେ ଶୀତକୁ ଖାତିର ନକରି ଇଶ୍ବରଙ୍କ ବାଣୀ ଶୁଣୁଥିଲେ।  ଶେଷରେ ସେଇ ପ୍ରତୀକ୍ଷିତ ମୁହୂର୍ତ୍ତ ପହଞ୍ଚିଥିଲା ଏବଂ ପ୍ରଭୁ ଯୀଶୁ ଧରାପୃଷ୍ଠକୁ ଓହ୍ଲାଇ ଆସିଥିଲେ।