‘ରାଧା-ଦାମୋଦର’ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀବିଗ୍ରହ
ଆଶ୍ବିନ ଶୁକ୍ଳ ପାପାଙ୍କୁଶା ଏକାଦଶୀରେ ଶ୍ରୀବିଗ୍ରହ ‘ରାଧା-ଦାମୋଦର’ ବେଶରେ ଦର୍ଶନ ଦେଇଛନ୍ତି। ରତ୍ନ ସିଂହାସନରେ ଶ୍ରୀକୃଷ୍ଣ ଓ ଶ୍ରୀବଳରାମଙ୍କର ‘ରାଧା ଦାମୋଦର‘ ବେଶ ବେଳେ ଅଣ୍ଟାରେ ସୁନା ଦଉଡ଼ି ତଥା ଅଣ୍ଟା ପଟି ଶୋଭା ପାଇଛି। ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ତ୍ରିକଚ୍ଛ ବସ୍ତ୍ର ପରିଧାନ କରିଛନ୍ତି। ହାତରେ ସୁବର୍ଣ୍ଣର ନଳୀ ଭୁଜା, ତ୍ରିମୁଣ୍ଡି ଉପରେ ବାଉଁଶ ପାତିଆ, କନା ନିର୍ମିତ ଚୂଳ ଏବଂ ଚୂଳ ଅଗ୍ରଭାଗରେ ଚନ୍ଦ୍ରିକା ଶୋଭା ପାଇଛି। କାନରେ କୁଣ୍ଡଳ, ଶ୍ରୀମୁଖରେ ତିଳକ ଧାରଣ କରି ମହାପ୍ରଭୁ ମନୋହର ବେଶରେ ଦର୍ଶନ ଦେଇଛନ୍ତି।
କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀବିଗ୍ରହମାନଙ୍କର ଏହି ବେଶ ଅନୁଷ୍ଠିତ ହେବ। ଏଥିସହ ସେବାୟତ କୂଳର କିଛି ମା’ମାନେ ବ୍ରତ ଆରମ୍ଭ କରିଛନ୍ତି। ଆଜି ଭୋର ୬ଟାରେ ଦ୍ବାର ଫିଟା ହେବା ପରେ ଭିତରଶୋଧ, ମଙ୍ଗଳ ଆଳତି, ଅବକାଶ ପୂଜା, ମଇଲମ ଓ ରୋଷ ହୋମ ପରେ ସକାଳ ୯ଟା ୨୦ରେ ରାଧା ଦାମୋଦର ବେଶ କରାଯାଇଥିଲା। ବେଶ ଶେଷ ହେବା ପରେ ଭକ୍ତ ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ କରିଥିଲେ। ଏହି ଅବସରରେ ମହାପ୍ରଭୁଙ୍କ ନିକଟରେ ବାଳଧୂପ ହୋଇଥିଲା।