ମହାପ୍ରଭୁ ଜଗନ୍ନାଥଙ୍କ ୩୨ ବେଶ,ପ୍ରଭୁଙ୍କ ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମୁତକୁଲା ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ୩୨ ବେଶ । ପ୍ରଭୁଙ୍କ ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ଜାମୁତକୁଲା ଗାଁରେ ବିରାଜିତ ହୋଇଛନ୍ତି ଶ୍ରୀଜୀଉ । ୧୧ ଦିନର ଲୀଳାଖେଳା କରୁଛନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ସୁନା ବେଶ ସହିତ ୩୨ଟି ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଜଗତର ନାଥ ଜଗନ୍ନାଥ । ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁମାନେ ଠାକୁରଙ୍କ ସମସ୍ତ ବେଶକୁ ଗୋଟିଏ ସ୍ଥାନରେ ଦର୍ଶନ କରି ମହାପ୍ରଭୁଙ୍କ କୃପାଲାଭ କରୁଛନ୍ତି । ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଏକ ଅଧ୍ୟାତ୍ମିକ ପରିବେଶ । ପ୍ରଥମ ଦିନରେ ହଜାର ହଜାର ମହିଳାମାନଙ୍କ ଦ୍ବାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ଶିବାଭିଷେକ ହେବା ପରେ ୫୦ ଜଣ ପଣ୍ତିତଙ୍କ ଦ୍ବାରା ବେଦପାଠ ସାଙ୍ଗକୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ପୂଜାର୍ଚ୍ଚନା । ସ୍ଥାନୀୟ ଅଞ୍ଚଳ ସମେତ ବସ୍ତା, ବାଲିଆପାଳ, ଜଳେଶ୍ୱର, ପଡୋଶୀ ମୟୁରଭଞ୍ଜ ଜିଲ୍ଲା ସମେତ ପଶ୍ଚିମବଙ୍ଗ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଏଠାକୁ ଛୁଟି ଆସୁଛନ୍ତି । ଏଠାରେ ଆୟୋଜିତ କାର୍ଯ୍ୟକ୍ରମ ଯୋଗୁଁ ଅନେକ ଭକ୍ତଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଛି । ଗୋଟିଏ ସ୍ଥାନରେ ଗୋଟିଏ କି ଦୁଇଟି ରୂପ ନୁହେଁ ଏକାଥରକେ ୩୨ଟି ଅଲୌକିକ ବେଶ ଦର୍ଶନ କରି ପାରୁଛନ୍ତି ଶ୍ରଦ୍ଧାଳୁ ।

ଏହି ୩୨ ବେଶ କାର୍ଯ୍ୟକ୍ରମ ଫେବୃୟାରୀ ୧ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଜଗନ୍ନାଥଙ୍କ ୩୨ ବେଶ ଦର୍ଶନ ସାଙ୍ଗକୁ ମୀନା ବଜାର ଏବଂ ଚଟପଟି ଖାଦ୍ୟର ମଜା ନେଉଛନ୍ତି ଲୋକେ । ଶାନ୍ତି ଶୃଙ୍ଖଳାରେ ଭକ୍ତଙ୍କ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମହାପ୍ରଭୁଙ୍କ ୩୨ଟି ଦୁର୍ଲଭ ବେଶ ମଧ୍ୟରୁ ଶହେ ବର୍ଷ ହେବ ବନ୍ଦ ରହିଥିବା ରଘୁନାଥ ବେଶ ଦର୍ଶନର ସୌଭାଗ୍ୟ ପାଉଛନ୍ତି ଭକ୍ତ ।  ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଚିକିତ୍ସା ଶିବିର ମଧ୍ୟ କରାଯାଇଛି । ଯେଉଁଠାରେ ଶ୍ରଦ୍ଧାଳୁମାନେ ବିନାମୂଲ୍ୟରେ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ବାରା ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ଔଷଧ ମଧ୍ୟ ନେଉଛନ୍ତି । ବିଶେଷ ଆକର୍ଷଣ ଭାବରେ ୯ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ୫୬ ମାଦଳ ଉତ୍ସବ ଅନୁଷ୍ଠିତ ହେବ । ଶେଷ ଦିନରେ ୩୦ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଆନନ୍ଦ ବଜାରର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ କୁହାଯାଇଛି । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ନିବେଦନ କରିଛନ୍ତି ଆୟୋଜକ କମିଟି ।

Leave a comment