ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ,ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ
ମହାପ୍ରଭୁଙ୍କ ବନକଲାଗି ନୀତି । ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି । ଯେଉଁଥି ଲାଗି ବଡ଼ଦେଉଳରେ ବନ୍ଦ ରହିବ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ଗୁରୁବାର ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ପ୍ରାୟ ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବଡ଼ଠାକୁରଙ୍କ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ । ଯେଉଁଥିଲାଗି ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ବନ୍ଦ ରହିବ ସାଧାରଣ ଦର୍ଶନ । ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଯେତିକି ସମୟ ଏହି ନୀତି ଚାଲେ ସେହି ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରୁହେ।